ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିବ ଆମେରିକା ! ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ
11/04/2020 at 10:38 PM

ଓ୍ଵାଶିଂଟନ ୧୧।୦୪: କରୋନା ଭାଇରସ୍ କାରଣରୁ ଆମେରିକାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ଦ୍ରୁତ ଗତିରେ ଆମେରିକାର ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଗତ ୨୪ ଘଣ୍ଟାରେ ଏଠାରେ ୨୧୦୮ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଆମେରିକା ଦୁନିଆର ପ୍ରଥମ ଏମିତି ଦେଶରେ ପରିଣତ ହୋଇଛି, ଯେଉଁଠି ୨୪ ଘଣ୍ଟା ମଧ୍ୟରେ ୨ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଥି ସହ ଆମେରିକା ମୃତ୍ୟୁ ମାମଲାରେ ଇଟାଲୀକୁ ଟପିବାକୁ ଯାଉଛି। କେବଳ ଏତିକି ନୁହଁ ଆମେରିକାରେ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ରହିଛି। ଅର୍ଥାତ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏହି ସୂଚନା ଜନ ହପକିନ୍ସ ୟୁନିଭର୍ସିଟି ପକ୍ଷରୁ ଆସିଛି।
ଇଟାଲୀକୁ ଟପିଯିବ ଆମେରିକା !
ଯେଉଁ ଭଳି ଭାବରେ ପ୍ରତି ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି, ଏମିତି ସ୍ଥିତିରେ ଆମେରିକା ଶୀଘ୍ର ଇଟାଲୀକୁ ପଛରେ ପକାଇ ଦେବ। ଆମେରିକାରେ ଏବେ ସୁଦ୍ଧା ୧୮ ହଜାର ୫୮୬ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଇଟାଲୀରେ ୧୮୮୪୯ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ନ୍ୟୁୟର୍କ ଏବେ ମଧ୍ୟ ଆମେରିକାରେ କରୋନାର କେନ୍ଦ୍ର ସ୍ଥଳ ପାଲଟିଛି। ଏଠାରେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୭୪ ହଜାର ୪୮୧ କରୋନା ପଜିଟିଭ୍ ଚିହ୍ନଟ ହେଲେଣି। ଏଥିରୁ ୭୮୮୪ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଏହା ପରେ କରୋନାର ସବୁଠୁ ଅଧିକ ଖରାପ ସ୍ଥିତି ନ୍ୟୁଜର୍ସିରେ ରହିଛି। ଏଠାରେ ୫୪ ହଜାର ୫୮୮ କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସିଛି।
ସମଗ୍ର ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୧୭ ଲକ୍ଷ ୧୫ ହଜାର ୧୪୩ରେ ପହଞ୍ଚିଛି। ଏହି ମହାମାରୀରେ ୧ ଲକ୍ଷ ୩ ହଜାର ୮୭୪ ଜଣଙ୍କ ପ୍ରାଣହାନୀ ଘଟିଛି। ସଂକ୍ରମଣକୁ ରୋକିବା ପାଇଁ ବିଶ୍ଵର ଅନେକ ଦେଶରେ ଲକ୍ଡାଉନ୍ ଜାରି ରହିଛି।