ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ର ବିକ୍ରିକୁ ଆମେରିକା ଦେଲା ମଞ୍ଜୁରୀ, ଚିନ୍ତାରେ ଚୀନ୍

Published By : Prameya-News7 Bureau | December 08, 2020 IST

ଓ୍ବାଶିଂଟନ୍ ୮।୧୨: ଚୀନ୍ ର କଡା ଚେତାବନୀ ସତ୍ତ୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ରର ନୂତନ ବିକ୍ରି ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଆମେରିକାର ବୈଦେଶିକ ମନ୍ତ୍ରଳାଳୟ ସୋମବାର ଦିନ କହିଛି ଯେ, ସେ ତାଇଓ୍ବାନକୁ ୨୮ କୋଟି ଡଲାରର ଉନ୍ନତ ସୈନ୍ୟ ସଞ୍ଚାର ଉପକରଣ ବିକ୍ରି ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଫଳରେ ଚୀନ୍ ର ଚିନ୍ତା ବଢିଯାଇଛି ।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ସେ ତାଇଓ୍ବାନର ସୁରକ୍ଷାକୁ ଉନ୍ନତ କରିବା ଏବଂ କ୍ଷେତ୍ରରେ ରାଜନୈତିକ ସ୍ଥିରତା, ସୈନ୍ୟ ସନ୍ତୁଳନ, ଅର୍ଥବ୍ୟବସ୍ଥା ଏବଂ ପ୍ରଗତିକୁ ବଜାୟ ରଖିବାରେ ସାହାଯ୍ୟ କରିବା ଏବଂ ତାଇଓ୍ବାନର ମିଶନ ତଥା ପରିଚାଳନା ଆବଶ୍ୟକତା ଅନୁସାରେ ତାଙ୍କର ସୈନ୍ୟ ସଞ୍ଚାର କ୍ଷମତାକୁ ଆଧୁନିକ କରିବା ପାଇଁ ସଞ୍ଚାର ଉପକରଣକୁ ବିକ୍ରି କରିବାକୁ ମଞ୍ଜୁରୀ ଦେଇ ଦେଇଛି । ଏହି ମଞ୍ଜୁରୀ ତାଇଓ୍ବାନର ପ୍ରତିରକ୍ଷା ତନ୍ତ୍ରକୁ ସୁଦୃଢ କରିବା ପାଇଁ ଟ୍ରମ୍ପ ପ୍ରଶାସନ ଦ୍ବାରା ନିକଟରେ ନିଆଯାଇଥିବା ଅନେକ ପଦକ୍ଷେପ ମଧ୍ୟରୁ ଗୋଟିଏ । ଆମେରିକାର ଏଭଳି ପଦକ୍ଷେପ ଚୀନ୍ ପାଇଁ ଆଉ ଏକ ଝଟକା ।

ଏହା ପୂର୍ବରୁ ଚୀନ୍ ସଂକଳ୍ପ ନେଇଥିଲା ଯେ, ଯଦି ଆମେରିକା ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବାର ଯୋଜନାରେ ଆଗକୁ ବଢେ ତେବେ ସେ ଉଚିତ ଏବଂ ଜରୁରୀ ଜବାବ ଦେବ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଓ୍ବାଙ୍ଗ ବେନବିନ କହିଥିଲେ ଯେ, ତାଇଓ୍ବାନକୁ ୬୦ କୋଟି ଡଲାର ମୂଲ୍ୟର ସୈନ୍ୟ ଡ୍ରୋନ୍ ବିକ୍ରି ଚୀନ୍ ର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ଏବଂ ଚୀନ୍ ର ପ୍ରଭୁତ୍ବ ଏବଂ ସୁରକ୍ଷା ହିତକୁ ଅଣଦେଖା କରିବା ।

ଓ୍ବାଙ୍ଗ କହିଥିଲେ ଯେ, ଆମେରିକାକୁ ତାଇଓ୍ବାନ ସହ ହୋଇଥିବା ଅସ୍ତ୍ରଶସ୍ତ୍ର ବିକ୍ରି ଚୁକ୍ତିକୁ ରଦ୍ଦ କରିବା ଉଚିତ । ଫଳରେ ଚୀନ୍-ଆମେରିକା ସଂପର୍କକୁ ଅଧିକ ମଜବୁତ ଏବଂ ତାଇଓ୍ବାନର ଶାନ୍ତି ଏବଂ ସ୍ଥିରତାକୁ ଅଧିକ କ୍ଷତିରୁ ବଞ୍ଚାଇଯାଇପାରିବ । ଉଲ୍ଲେଖନୀୟ ଯେ, ଚୀନ୍, ତାଇଓ୍ବାନ ଉପରେ ନିଜ ଆଧିପତ୍ୟ ଦେଖାଇଥାଏ । ଓ୍ବାଙ୍ଗ୍ କହିଛନ୍ତି ଯେ, ଉପୁଜୁଥିବା ପରିସ୍ଥିତିକୁ ଦେଖି ଉଚିତ ଏବଂ ଜରୁରୀ ଜବାବ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.