ଆମେରିକା ଇରାନ୍ ଯୁଦ୍ଧ ଆଶଙ୍କା- ଭାରତ ଉପରେ ପଡିଲା ଏହାର ଏହି ପ୍ରଭାବ
4/01/2020 at 12:34 PM

ନୂଆଦିଲ୍ଲୀ – ଆମେରିକାର ଡ୍ରୋନ ଆକ୍ରମଣରେ ଇରାନର କମାଣ୍ଡର ଜେନାରାଲ୍ କାସିମ୍ ସୁଲେମାନୀଙ୍କର ମୃତ୍ୟୁ ହୋଇଛି। ସେ ଇରାକର ବାଗଦାଦ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଥିବା ସମୟରେ ଆମେରିକାର ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଇରାନର କମାଣ୍ଡର ଜେନାରାଲ୍ କାସିମ୍ ସୁଲେମାନୀଙ୍କ ସହ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣର ଦୃଢ ଜବାବ ଦିଆଯିବ ବୋଲି ଇରାନ୍ ପକ୍ଷରୁ କୁହାଯାଇଛି । ସାରା ବିଶ୍ୱ ସମୁଦାୟ ଏହି ଆକ୍ରମଣକୁ ନେଇ ଏବେ ଚିନ୍ତାରେ । ଆମେରିକା ପକ୍ଷରୁ ଇରାକ୍ରେ ଥିବା ସମସ୍ତ ନାଗରିକଙ୍କୁ ତୁରନ୍ତ ଇରାକ୍ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାର ପ୍ରଭାବ ଏବେଠାରୁ ଅନୁଭୂତ ହେଲାଣି ।

ଆମେରିକାର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଏବେଠାରୁ ବିଶ୍ୱ ବଜାରରେ ତୈଳଦର ବୃଦ୍ଧି ପାଇବାର ଆଶଙ୍କା କରାଗଲାଣି । ଶୁକ୍ରବାରରେ ଭାରତୀୟ ସେୟାର ବଜାରରେ ସେୟାର ଦର ହ୍ରାସ ପାଇବାରେ ଲାଗିଥିଲା । ସପ୍ତାହର ଶେଷ ଦିନରେ ସେନସେକ୍ସ ୧୬୨.୦୩ ପ୍ରତିଶତ ହ୍ରାସ ପାଇ ୪୧,୪୬୪.୬୧ ପ୍ରତିଶତ ହ୍ରାସ ପାଇଥିଲା । ସେହିପରି ନିଫ୍ଟି ୫୫.୫୫ ପ୍ରତିଶତ ହ୍ରାସ ପାଇଥିଲା । ଏହା ୧୨,୨୨୬.୬୫ ଅଙ୍କରେ ବନ୍ଦ ହୋଇଥିଲା ।

କେବଳ ସେତିକି ନୁହେଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଡଲାର ତୁଳନାରେ ଟଙ୍କା ପ୍ରାୟ ୪୨ ପଇସା ଦୁର୍ବଳ ହୋଇଛି । ଗୋଟିଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୧.୮୯ ହୋଇଛି । ଅର୍ଥାତ ଗୋଟିଏ ଆମେରିକୀୟ ଡଲାର ଏବେ ୭୧.୮୯ ଟଙ୍କା । ଏହାର ଗୋଟିଏ ଦିନ ପୂର୍ବରୁ ଏକ ଡଲାର ୭୧.୫୮ ଟଙ୍କା ଥିଲା ।

କେବଳ ଟଙ୍କାର ମୂଲ୍ୟ ନୁହେଁ ସୁନା ଓ ରୂପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ସୁନାଦର ୭୫୨ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୪୦,୬୫୨ ଟଙ୍କା ପାର କରିଛି ।

ସେହିପରି ରୂପାଦର ୯୬୦ ଟଙ୍କା ବୃଦ୍ଧି ପାଇ ୪୮,୮୭୦ ଟଙ୍କାରେ ପ୍ରତି କିଲୋ ପହଞ୍ଚିଛି ।