୨୭ରେ ଓଡିଶା କ୍ରିକେଟ ଆସୋସିଏସନର ନିର୍ବାଚନ, ଆରମ୍ଭ ହେଲାଣି ଛକା ପଞ୍ଝା, ଜାଣନ୍ତୁ କାହା ପଲ୍ଲା କେତେ ଭାରି…
17/09/2019 at 5:58 PM

କଟକ୧୭|୯: ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନକୁ ନେଇ ଏବେ ସରଗରମ ହେବାରେ ଲାଗିଛି ମାହୋଲ । ମୁଖ୍ୟତଃ ସଭାପତି ଏବଂ ସମ୍ପାଦକ ପଦ ପାଇଁ ଏକାଧିକ ଗୋଷ୍ଠୀ ଭିତରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ଦୀର୍ଘ ବର୍ଷ ଧରି ଓସିଏରେ ନିଜର ଦବଦବା ଜାହିର କରି ଆସିଥିବା ଆଶୀର୍ବାଦ ବେହେରାଙ୍କ କ୍ୟାମ୍ପରୁ ଏଥର ମଇଦାନରେ ଅଛନ୍ତି ତାଙ୍କ ପୁଅ ସଂଜୟ ବେହେରା । ତେବେ ବାପପୁଅ ରାଜନୀତିକୁ ଟକ୍କର ଦେବାକୁ ଭରପୁର ତୟାରି କରୁଛନ୍ତି ଓସିଏର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ନବ ରଞ୍ଜନ ପଟ୍ଟନାୟକ । ଗଲା କିଛି ବର୍ଷ ହେଲା ଓସିଏର ଇଲେକ୍ସନ ନୁହେଁ ବରଂ ସିଲେକ୍ସନ ହେଉଥିଲା ବୋଲି ଅନେକ କ୍ରୀଡ଼ାପ୍ରେମୀ ଅନୁଭବ କରୁଥିବା ବେଳେ ଏଥର ଚିତ୍ର ବଦଳିବ ବୋଲି ଆଶା କରୁଛନ୍ତି । ….

ସେପ୍ଟେମ୍ବର ୨୦ରେ ନୋମିନେସନ । ୨୭ରେ ଇଲେକ୍ସନ । ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନକୁ ନେଇ ଏବେ ମାହୋଲ ସରଗରମ ହେବାରେ ଲାଗିଛି । ମୁଖ୍ୟତଃ ସଭାପତି ଏବଂ ସମ୍ପାଦକ ପଦ ପାଇଁ ଏକାଧିକ ଗୋଷ୍ଠୀ ଭିତରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ଗଲା କିଛି ବର୍ଷ ହେଲା ଓସିଏରେ ଇଲେକ୍ସନ ନୁହେଁ ବରଂ ସିଲେକ୍ସନ ହେଉଥିଲା ବୋଲି ଅନେକ କ୍ରୀଡ଼ାପ୍ରେମୀ ଅନୁଭବ କରୁଥିବା ବେଳେ ଏଥର ଚିତ୍ର ବଦଳିବ ବୋଲି ଆଶା କରୁଛନ୍ତି । ଦୀର୍ଘ ସମୟ ଧରି ଓସିଏରେ ନିଜର ଦବଦବା ଜାହିର କରିଆସିଛନ୍ତି ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ । ପୂର୍ବରୁ ଲଗାତର ଓସିଏ ସମ୍ପାଦକ ପଦରେ ରହିଆସିଥିବା ଆଶୀର୍ବାଦ ଏଥର ଏହି ପଦରେ ନିଜ ପୁଅ ସଂଜୟ ବେହେରାଙ୍କୁ ବସାଇବାକୁ ପ୍ଲାନ୍ କରିଛନ୍ତି । ଏମିତିରେ ତାଙ୍କୁ ଟକ୍କର ଦେଉଛନ୍ତି ଓସିଏର ପୂର୍ବତନ ଭାଇସ ପ୍ରେସିଡେଣ୍ଟ୍ ନବ ରଞ୍ଜନ ପଟ୍ଟନାୟକ ।

ଏଥର ଓସିଏ ନିର୍ବାଚନରେ ମୁଖ୍ୟ ଭୂମିକା ନେବ ସ୍କୁଲ, କଲେଜ ଓ ଜିଲ୍ଲା ଆସୋସିଏସନଗୁଡ଼ିକର ଭୋଟ୍ । ଯିଏ ଏହି ସଂଗଠନ ଗୁଡ଼ିକର ସମର୍ଥନ ହାତେଇପାରିବ ସେ ହିଁ ମାରିବ ବାଜି । ସେହିଭଳି ଓସିଏ ସଭାପତି ପଦ ପାଇଁ ମଧ୍ୟ ଆଶୀର୍ବାଦ ଗୋଷ୍ଠୀ ପଙ୍କଜ ଚରଣ ମହାନ୍ତିଙ୍କୁ ପ୍ରାର୍ଥୀ କରିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି କଟକ ୟୁନିଅନ ସ୍ପୋର୍ଟିଂର ସକ୍ରିୟ ସଦସ୍ୟ ପ୍ରଦୀପ ଚୌହ୍ବାନ । ୨୦୦୮ ପରଠୁ ଓସିଏର ପରଫର୍ମାନ୍ସ୍ ସେଭଳି କିଛି ଆଖି ଦୃଶିଆ ହୋଇନାହିଁ । କାରଣ ଦେବାଶିଷ, ସଂଜୟ ଓ ଶିବସୁନ୍ଦରଙ୍କ ପରେ ଆଉ କୌଣସି ଖେଳାଳୀ ଫୋକସ୍କୁ ଆସିପାରିନାହାନ୍ତି । ଏଥର ରାଜନୀତି ନୁହେଁ ବରଂ ଓସିଏ ନିର୍ବାଚନରେ କ୍ରିକେଟ୍ର ଭବିଷ୍ୟତକୁ ନେଇ ଭୋଟ୍ ହେବ ବୋଲି କୁହାଯାଉଛି ।

ଓଡ଼ିଶାରେ କ୍ରିକେଟ୍ ଓ ନବାଗତ କ୍ରିକେଟ୍ ପ୍ଲେୟାରଙ୍କୁ କିଭଳି ପ୍ରୋତ୍ସାହନ ମିଳିବ ସେମାନେ କେମିତି ଜାତୀୟସ୍ତରରେ ସୁଯୋଗ ପାଇବେ ତା ଉପରେ ଓସିଏର ଫୋକସ ରହିବା କଥା । ଏଥି ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନର ବିଭିନ୍ନ ପଦପଦବୀ ପାଇଁ ଯେଉଁମାନେ ବି ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି ସେମାନଙ୍କ ବ୍ୟକ୍ତିତ୍ବ ଓ ଉଦେଶ୍ୟକୁ ପରଖି ବିଭିନ୍ନ ସଂଗଠନଗୁଡ଼ିକ ଭୋଟ୍ ଦେବାର ଆବଶ୍ୟକତା ରହିଛି ।
