ମହିଳା ସାଂସଦ ହେଲେ ଏକାଠି : ଆପତ୍ତିଜନକ ମନ୍ତବ୍ୟ ପାଇଁ ଫସିପାରନ୍ତି ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନ୍

Published By : Prameya-News7 Bureau | July 26, 2019 IST

ନୂଆଦିଲ୍ଲୀ ୨୬|୭: ଗୃହ ଭିତରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନ୍ ଙ୍କ ପାଇଁ ବଢ଼ିଲା ଅଡୁଆ। ବାଚସ୍ପତିଙ୍କ ଚେୟାରରେ ଥିବା ବିଜେପି ସାଂସଦ ରମା ଦେବୀ ଆଜମ୍ ଖାନ୍ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିବେ ବୋଲି କହିଛନ୍ତି ରମା ଦେବୀ ।

ପୂର୍ବରୁ ଆଜମ୍ ଖାନ୍ ବିଜେପି ନେତ୍ରୀ ଜୟ ପ୍ରଦାଙ୍କ ସଂପର୍କରେ ମଧ୍ୟ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ବାରମ୍ବାର ତାଗିଦ ସତ୍ବେ ଆଜମ୍ ଖାନ୍ ସୁଧୁରୁନଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ସାଂସଦମାନେ ଲୋକସଭାରେ ଦାବି କରିଛନ୍ତି। ଆଜି ଲୋକସଭାରେ ଏହାକୁ ନେଇ ହଙ୍ଗାମା ହୋଇଛି। ଆପଣ ବାରମ୍ବାର ଖରାପ ବ୍ୟବହାର କରି ଖସି ଯାଇପାରିବେ ନାହିଁ ବୋଲି ବିଜେପିର ସ୍ମୃତି ଇରାନୀ କହିଛନ୍ତି ।

ସେହିପରି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଆଜମ୍ ଖାନ୍ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଆଜମ୍ ଖାନ୍ ଙ୍କ ମନ୍ତବ୍ୟର ନିନ୍ଦା କରିଥିବାବେଳେ ଏହାକୁ ସଂସଦୀୟ କମିଟିକୁ ପଠାଇବାକୁ ଦାବି କରିଛନ୍ତି। ଏମ୍ ଆଇଏମ୍ ସାଂସଦ ଅସାଦୁଦ୍ଦିନ ଓୱେସୀ କିନ୍ତୁ ଆଜମଙ୍କୁ ସମର୍ଥନ କରିବା ଭଳି ମନ୍ତବ୍ୟ ଦେଇଛନ୍ତି। ମିଠୁ ମାମଲାରେ ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.ଜେ. ଆକବରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.