ବଜେଟ ଅଧିବେଶନ ଶେଷ, ରାଜ୍ୟସଭା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ, ଜାଣନ୍ତୁ କ'ଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ଏହି ଅଧିବେଶନ

Published By : Prameya-News7 Bureau | August 07, 2019 IST

ନୂଆଦିଲ୍ଲୀ ୭।୮: ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ବୁଧବାର ବଜେଟ ଅଧିବେଶନ ସମାପ୍ତ ହୋଇଛି। ଗୃହର ଗତ ୫ଟି ଅଧିବେଶନରେ ୩୫ଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ୩୧ଟି ବିଧେୟକ ଗୃହୀତ ହୋଇଛି। ଫଳରେ ରାଜ୍ୟସଭାର ଉତ୍ପାଦକତା ୧୦୫ ପ୍ରତିଶତରେ ପହଞ୍ଚିଛି। ବଜେଟ ଅଧିବେଶନ କାଳରେ ଉଚ୍ଚ ସଦନରେ ଗୃହୀତ ହୋଇଥିବା ବିଧେୟକମାନଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଧେୟକ ୨୦୧୯ ଓ ମୁସ୍ଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଧେୟକ ୨୦୧୯ ଆଦି ପ୍ରମୁଖ ଥିଲା। ମୁସ୍ଲିମ ମହିଳା ବିଧେୟକ ୩ ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରୁଥିବା ବେଳେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଧେୟକରେ କାଶ୍ମୀର ଓ ଲଦ୍ଦାଖକୁ ୨ଟି ପୃଥକ କେନ୍ଦ୍ରଶାସିତ ପ୍ରଦେଶରେ ରୂପାନ୍ତରଣର ପ୍ରସ୍ତାବ ଥିଲା।

{"id":141937}

ଅଧିବେଶନ କାଳରେ ଅନୁଚ୍ଛେଦ ୩୭୦ ନେଇ କେନ୍ଦ୍ର ଗୃହମନ୍ତ୍ରୀ ପ୍ରଥମେ ଉଚ୍ଚ ସଦନକୁ ସୂଚିତ କରିଥିଲେ। ଏହି ଅନୁଚ୍ଛେଦ କାଶ୍ମୀରକୁ ସ୍ୱତ୍ତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିଲା। ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କୟା ନାୟଡୁ ବୁଧବାର ଅଧିବେଶନକୁ ଅନିଶ୍ଟିତ କାଳପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ପୂର୍ବରୁ ଉଦଯାପନୀ ଭାଷଣ ଦେଇ ଗତ ୫ ବର୍ଷରେ ପ୍ରଥମ ଥର ଉଚ୍ଚସଦନର ଉତ୍ପାଦକତା ଶତ ପ୍ରତିଶତରୁ ଅଧିକ ଥିବାର ସୂଚନା ଦେଇଥିଲେ। ଅଧିବେଶନ କାଳରେ ଲୋକସଭାରେ ୩୬ଟି ବିଧେୟକ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ୩୫ଟି ଗୃହୀତ ହୋଇଥିବା କହିଥିଲେ। ଗତ ୧୭ ବର୍ଷରେ ରାଜ୍ୟସଭାର ଏହା ସବୁଠାରୁ ଉଲ୍ଲେଖନୀୟ ଉତ୍ପାଦକତା ବୋଲି କହିଛନ୍ତି ଭେଙ୍କୟା ନାୟଡୁ।

{"id":141938,"width":580,"height":318}

ଉଚ୍ଚସଦନର ଏହା ଥିଲା ୨୪୯ତମ ଅଧିବେଶନ। ଏହି ଅଧିବେଶନ କାଳରେ ଅଢେଇ ଦିନ ଧରି ଗୃହରେ କୌଣସି କାର୍ଯ୍ୟ ହୋଇନଥିଲା। ସଦନର ୧୯ଘଣ୍ଟା ୧୨ ମିନିଟ କାର୍ଯ୍ୟକାଳ ଅଯଥାରେ ନଷ୍ଟ ହୋଇଥିଲା। ତେବେ ୧୯ ଦିନର ନିର୍ଦ୍ଧାରିତ କାର୍ଯ୍ୟକାଳ ପରେ ମଧ୍ୟ ଗୃହ ଚାଲିବା ଯୋଗୁ ୨୮ ଘଣ୍ଟାର ଲାଭ ମିଳିଥିଲା। ତେବେ ଏହି ଅଧିବେଶନ କାଳରେ ଗୃହୀତ ବିଧେୟକ ଦେଶର ସାମାଜିକ ଓ ଆର୍ଥିକ ପରିଦୃଶ୍ୟ ପାଇଁ ଅନେକ ଗୁରୁତ୍ୱବହନ କରିବ ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ।

{"id":141981}

ସେପଟେ ମଙ୍ଗଳବାର ବାଚସ୍ପତି ଓମ ବିରଲା ଲୋକସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ସଂସଦର ଚଳିତ ଅଧିବେଶନକୁ ଭାରତୀୟ ସଂସଦୀୟ ଇତିହାସର ସବୁଠୁ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ବାଚସ୍ପତି ତାଙ୍କ ଉଦଯାପନୀ ଅଭିଭାଷଣରେ କହିଥିଲେ। ୧୯୫୨ ମସିହା ପରେ ପ୍ରଥମ ଥର ଏହି ଅଧିବେଶନରେ ୧୩୪ ପ୍ରତିଶତ କାର୍ଯ୍ୟ ହୋଇଛି ବୋଲି କହିଥିଲେ। ଜୁନ ୧୭ ତାରିଖରୁ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଧିବେଶନ କାଳରେ ମୋଟ ୩୭ଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ୩୬ଟି ବିଧେୟକ ଗୃହୀତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.