ଲଗାତାର ଚତୁର୍ଥ ଦିନ ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ
23/11/2020 at 2:35 PM

ନୂଆଦିଲ୍ଲୀ ୨୩/୧୧ : ଭାରତୀୟ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦାମ ବଢାଇବା ଜାରି ରଖିଛନ୍ତି । ଘରୋଇ ବଜାରରେ ୪୮ ଦିନର ସ୍ଥିରତା ପରେ କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୭ ପଇସା ଏବଂ ଡିଜେଲ ୧୮ ପଇସା ବୃଦ୍ଧି ଘଟିଛି। ସୋମବାର ଦିଲ୍ଲୀରେ ପେଟ୍ରୋଲ ୮୧.୫୩ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୧.୨୫ ଟଙ୍କା ରହିଛି। ଏହା ପୂର୍ବରୁ ଶନିବାର ପେଟ୍ରୋଲ ଲିଟର ପ୍ରତି ୮ ପଇସା, ଡିଜେଲ ଲିଟର ପିଛା ୧୯ ପଇସା ବୃଦ୍ଧି ଘଟିଥିଲା।

ସେହି ପରି ରାଜଧାନୀ ଭୁବନେଶ୍ଵରେ ଆଜି ପେଟ୍ରୋଲ ଦାମ ଲିଟର ପିଛା ୦୭ ପଇସା ବୃଦ୍ଧି ଘଟିଛି। ରାଜଧାନୀରେ ଗତକାଲି ପେଟ୍ରୋଲ ଲିଟର ପ୍ରତି ୮୨.୦୬ ଟଙ୍କା ରହିଥିବା ବେଳେ ନଭେମ୍ଵର ୨୨ରେ ଏହାର ଦାମ ୮୨.୧୩ ଟଙ୍କା ରହିଛି । ସେହିପରି ଡିଜେଲ ଦାମ ୨୦ ପଇସା ବୃଦ୍ଧି ପାଇ ୭୭.୫୯ ଟଙ୍କା ରହିଛି ।

ସୂଚନାଯୋଗ୍ୟ, ପ୍ରତି ଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ୍ ଦାମରେ ପରିବର୍ତ୍ତନ ଘଟିଥାଏ। ସକାଳ ୬ଟାରେ ନୂତନ ଦାମ ଲାଗୁ ହୋଇଥାଏ। ପେଟ୍ରୋଲ ଓ ଡିଜେଲ୍ ଦାମରେ ଏକ୍ସାଇଜ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟ ଟ୍ୟାକ୍ସ ଯୋଡିବା ପରେ ଏହାର ଦାମ ପାଖାପାଖି ୨ ଗୁଣ ହୋଇଥାଏ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପେଟ୍ରୋଲ ଦାମ ସେପ୍ଟେମ୍ବର ୧ରେ ବୃଦ୍ଧି ଘଟିଥିଲା। ଏହା ପରଠୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ତୈଳ ଦର ସ୍ଥିର ରହିଥିଲା।