ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ପରିବାର ଲାଗି ଯୋଗୀ ସରକାରଙ୍କ ୨୫ଲକ୍ଷ ଟଙ୍କାର ସହାୟତା ଘୋଷଣା, ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର

Published By : Prameya-News7 Bureau | December 07, 2019 IST

ଲକ୍ଷ୍ନୌ ୭।୧୨:  ଉନ୍ନାଓର ମୃତକ ଦୁଷ୍କର୍ମ ପୀଡିତାଙ୍କ ପରିବାର ଲାଗି ଶନିବାର ଉତ୍ତରପ୍ରଦେଶ ଯୋଗୀ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ଲାଗି ରାଜ୍ୟ ସରକାର ନଗଦ ୨୫ଲକ୍ଷ ଟଙ୍କାର ସହାୟତା ସାଙ୍ଗକୁ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବି ଯୋଗାଇ ଦିଆଯିବ ବୋଲି ରାଷ୍ଟ୍ରମନ୍ତ୍ରୀ କମଲ ରାଣୀ ବରୁଣ କହିଛନ୍ତି। ଅନ୍ୟପକ୍ଷରେ ମାମଲାର ତ୍ୱରିତ ଶୁଣାଣି ଲାଗି ମୁଖ୍ୟମନ୍ତ୍ରୀ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଥିବା  ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

ପୀଡିତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିଥିବା ବେଳେ ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ତୁରନ୍ତ ଶୁଣାଣି କରି ଅଭିଯୁକ୍ତଙ୍କ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ବାଳିକାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି।

ପୀଡିତାଙ୍କ ପରିବାରକୁ ଭେଟିବା ଲାଗି ରାଜ୍ୟ ଶ୍ରମମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ରାଷ୍ଟ୍ରମନ୍ତ୍ରୀ କମଲ ରାଣୀ ବରୁଣ ଓ ସ୍ଥାନୀୟ ସାଂସଦ ସାକ୍ଷୀ ମହାରାଜ ମଧ୍ୟ ଯାଇଥିଲେ। ତେବେ ସେମାନଙ୍କୁ ସେଠାରେ ପୂର୍ବରୁ ମହଜୁଦ ଥିବା କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳର ନେତା ଏବଂ କର୍ମୀମାନଙ୍କ  ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଗୁରୁବାର ଅଭିଯୁକ୍ତମାନେ ପୀଡିତାଙ୍କୁ ଗାଁ ଦାଣ୍ଡରେ କିରୋସିନ ଢାଳି ନିଆଁ ଲଗାଇଥିଲେ । ସେଦିନ ଉନ୍ନାଓ ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ଅଭିଯୁକ୍ତ ତଥା ବିଧାୟକ କୂଲଦୀପ ସିଂ ସେଙ୍ଗାରଙ୍କ ଜନ୍ମଦିନ ମଧ୍ୟ ଥିଲା। ସ୍ଥାନୀୟ ସାଂସଦ ସାକ୍ଷୀ ମହାରାଜ ତାଙ୍କ ଅଧିକାରୀକ ଟ୍ୱିଟ୍‌ରେ ସେଙ୍ଗାରଙ୍କ ଲାଗି ଜନ୍ମଦିନର ଶୁବାଶ୍ରୀବାଦ କରିଥିଲେ। ଏହି ଟ୍ୱିଟ୍ ବାର୍ତ୍ତାଟି ପୋଷ୍ଟ ଏବେ ଡିଲିଟ କରିଦିଆଯାଇଥିବା ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.