ୟୁପି ପୋଲିସର ବଡ ପଦକ୍ଷେପ, ବିଳମ୍ବିତ ରାତ୍ରିରେ ମହିଳାଙ୍କୁ ଘରେ ଛାଡିବ ପୋଲିସ
9/12/2019 at 3:42 PM

ଲକ୍ଷ୍ନୌ : ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏଥିରେ ଅପରାଧ ପ୍ରବଣ ଉତ୍ତରପ୍ରଦେଶ ଏଭଳି ପ୍ରସଙ୍ଗରେ ଏବେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଯାଉଥିବା ଜଣାପଡିଛି। ମହିଳା ଅପରାଧ ମାମଲାରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ୟୁପିର ସ୍ଥାନ ସୂଚୀର ଶୀର୍ଷରେ ରହିଛି। ଏଣୁ ବିଳମ୍ବିତ ରାତ୍ରିରେ ଯଦି କୌଣସି ମହିଳା କେଉଁଠାକୁ ଯିବା ଜରୁରି ଥାଏ ତେବେ ଚାହିଁଲେ ପୋଲିସର ଏବେ ସହାୟତା ନେଇ ପାରିବେ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଡିଜିପିଙ୍କ କାର୍ଯ୍ୟାଳୟରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡେରି ରାତିରେ ଏକାକୀ ଯାଉଥିବା ମହିଳାଙ୍କୁ ତାଙ୍କ ଗନ୍ତବ୍ୟରେ ପୋଲିସ ପହଞ୍ଚାଇବା ନେଇ ଚର୍ଚ୍ଚା ହୋଇଛି। ଏଣୁ ପୋଲିସ ବିସ୍ତୃତ ଯୋଜନା ହାତକୁ ନେବାକୁ ଯାଉଥିବା ବେଳେ ଖୁବ୍ ଶୀଘ୍ର ଡାୟଲ୧୧୨ କାର୍ଯ୍ୟ କରିବ ବୋଲି ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ହାଇଦ୍ରାବାଦ ମହିଳା ପ୍ରାଣୀଧନ ଚିକିତ୍ସକଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପରେ ୟୁପି ଉନ୍ନାଓ ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଅଭିଯୁକ୍ତମାନେ କିରୋସିନ ଢାଳି ଜିଅନ୍ତା ପୋଡି ହତ୍ୟା ଉଦ୍ୟମ କରିଥିଲେ। ପରେ ପୀଡିତାଙ୍କର ହସ୍ପିଟାଲର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକେ ଅଙ୍ଗୁଳି ଉଠାଇଛନ୍ତି। ଏଣୁ ପୋଲିସ ଅନୁନ୍ୟ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏବେ ବିଚାର କରୁଥିବା ଜଣାପଡିଛି।