UP :ମୁଖ୍ୟମନ୍ତ୍ରୀ ଗଣ ବିବାହ ଯୋଜନାରେ ହେରଫେର,୫୧ ହଜାର ଟଙ୍କା ଲାଗି ଭିଣୋଇଙ୍କୁ ବାହା ହୋଇପଡିଲେ ବିବାହିତା ଶାଳୀ

Published By : Prameya-News7 Bureau | October 19, 2021 IST

ମହାରାଜାଗଞ୍ଜ ୧୯।୧୦: ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଗଣବିବାହ ଯୋଜନା’ରେ ଗୁରୁତର ଅନିୟମିତତାର ଅଭିଯୋଗ ଆସିଛି। ମହାରାଜଗଞ୍ଜରେ ଅନୁଷ୍ଠିତ ଗଣ ବିବାହ ସମାରୋହରେ ଅଧିକାରୀଙ୍କ ଅଣଦେଖା ଯୋଗୁ ଏପରି ଗୁରୁତର ଦୁର୍ନୀତି ହୋଇଛି ଯାହା ଶୁଣିଲେ ଆପଣ ବି ତାଜ୍ଜୁବ ହେବେ। ଏହି ଗଣ ବିବାହ କାର୍ଯ୍ୟକ୍ରମରେ ବିବାହିତ ଲୋକେ ପୁଣି ବାହା ହୋଇ ସରକାରଙ୍କ ୫୧ ହଜାର ଟଙ୍କାର ସମ୍ମାନ ରାଶି ମଧ୍ୟ ନେଇ ପଳାଇଛନ୍ତି। ଏଥିରେ ସରକାରୀ ସମ୍ମାନ ରାଶି ଲାଗି ଜନୈକ ବିବାହିତା ମହିଳାଙ୍କୁ ତାଙ୍କ ଭିଣୋଇ ମଣ୍ଡପରେ ବସାଇ ବାହା ହୋଇପଡିବା ଏବେ ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।   

{"id":530098,"sizeSlug":"large","linkDestination":"none"}

ଏହି ବିବାହ ଉତ୍ସବରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ନବ ବିବାହିତ ଦମ୍ପତ୍ତିଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ। ଏବେ ଅଭିଯୋଗ ଆସିବା ପରେ ଅଫିସର ଜବାବ ଦେଇ ପାରୁନଥିବା ବେଳେ ଯାଞ୍ଚ ହେବ ବୋଲି କହି ମାମଲାକୁ ଟାଳୁଛନ୍ତି। ଏହି ସରକାରୀ ଗଣ ବିବାହରେ ମହାରାଜଗଞ୍ଜ କୋହ୍ଲୁଇ ଥାନା ବଡିଆରୀ ଗ୍ରାମସଭାର ଅମରନାଥ ଚୌଧୁରୀ ମଧ୍ୟ ବିବାହ କରିଛନ୍ତି। ଚୌଧୁରୀ ତାଙ୍କର ବିବାହିତା ଶାଳୀଙ୍କୁ ଗଣ ବିବାହ ଉତ୍ସବରେ ବିବାହ କରି ୫୧ ହଜାର ଟଙ୍କାର ମୁଖ୍ୟମନ୍ତ୍ରୀ ସମ୍ମାନ ରାଶି ମଧ୍ୟ ନେଇଛନ୍ତି।

ଗତ ଅକ୍ଟୋବର ୧୩ ତାରିଖ ଦିନ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୩୩ ଯୋଡା ଦମ୍ପତ୍ତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ କେନ୍ଦ୍ର ଅର୍ଥରାଜ୍ୟମନ୍ତ୍ରୀ ନବ ବିବାହିତ ଦମ୍ପତ୍ତିଙ୍କୁ ଆଶିର୍ବାଦ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଜୟମଙ୍ଗଲ କନୌଜିଆ, ଜିଲ୍ଲା ମାଜିଷ୍ଟ୍ରେଟ୍‌ ଡା. ଉଜ୍ଜ୍ୱଲ କୁମାରଙ୍କ ସମେତ ସମାଜ କଲ୍ୟାଣ ବିଭାଗ ଅଧିକାରୀ ଓ ଅନ୍ୟ ଜନ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ଏହି ବିବାହ ସମାରୋହରେ ପୂର୍ବରୁ ବିବାହିତ ଶାଳୀ-ଭିଣୋଇଙ୍କ ବିବାହ ଘଟଣା ଜଣାପଡିବା ପରେ ଏବେ ସରକାରୀ ଯୋଜନାର ସ୍ୱଚ୍ଛତା ନେଇ ଚର୍ଚ୍ଚା ଜୋର ଧରିଛି। 

{"id":529740,"width":841,"height":718,"sizeSlug":"full","linkDestination":"none"}
symbolic

ସରକାରୀ ଗଣବିବାହର ନକଲୀ ହିତାଧିକାରୀଙ୍କ ସମ୍ପର୍କରେ ଜଣାପଡିବା ପରେ ସମାଜ କଲ୍ୟାଣ ଅଧିକାରୀ ସୁଧୀର ପାଣ୍ଡେୟ ମାମଲାର ଯାଞ୍ଚ ଆଦେଶ ଦିଆଯାଇଥିବା କହିଛନ୍ତି। ଏଥିରେ ଯଦି କେହି ଦୋଷୀ ବୋଲି ଜଣାପଡେ ତେବେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଏପରି ବିବାହିତ ଦମ୍ପତ୍ତିଙ୍କ ଠାରୁ ସମ୍ମାନ ରାଶି ଅସୁଲ କରାଯିବା ସହ ଏପରି ଦମ୍ପତ୍ତିଙ୍କ ବିବାହର ସତ୍ୟାପନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.