ପତ୍ନୀଙ୍କୁ ଛାଡପତ୍ର ଦେବାଲାଗି କୋର୍ଟରେ ପହଞ୍ଚିଲେ ମନ୍ତ୍ରୀ, ଜାଣନ୍ତୁ କ’ଣ ଦର୍ଶାଇଛନ୍ତି କାରଣ
26/09/2019 at 8:53 PM

ହମୀରପୁର : ଉତ୍ତର ପ୍ରଦେଶ ସରକାରରେ ରାଜ୍ୟମନ୍ତ୍ରୀ ଥିବା ବାବୁରାମ ନିଷାଦ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ କୋର୍ଟକୁ ଯାଇଛନ୍ତି। ଏଥିଲାଗି ବାବୁରାମ ପରିବାର କୋର୍ଟରେ ଡିଭୋର୍ସ ମୋକଦ୍ଦମା ରୁଜୁ କରିବା ସହ ପତ୍ନୀଙ୍କ ବଦଖର୍ଚ୍ଚ ଓ ଦୁର୍ବ୍ୟବହାର ଲାଗି ସେ ତାଙ୍କୁ ଛାଡପତ୍ର ଦେବାକୁ ଚାହାନ୍ତି ବୋଲି ନିବେଦନ କରିଛନ୍ତି। କୋର୍ଟ ମୋକଦ୍ଦମାକୁ ବିଚାର ଲାଗି ଗ୍ରହଣ କରିଥିବା ବେଳେ ତାଙ୍କ ପତ୍ନୀଙ୍କୁ ଅକ୍ଟୋବର ୩୦ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି।

ଗତ ସେପ୍ଟେମ୍ବର ୨୩ ତାରିଖରେ ବାବୁରାମଙ୍କ ପତ୍ନୀ ନିତୁ ସୋସାଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କ ପାରିବାରିକ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଥିରେ ୨୦୦୫ ମସିହାରେ ସେ ବାବୁରାମଙ୍କୁ ବିବାହ କରିଥିବା ଉଲ୍ଲେଖ କରିଥିବା ବେଳେ ସେବେଠାରୁ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଇଆସୁଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେ ଅନେକବାର ଆଇନର ଆଶ୍ରୟ ନେଇଛନ୍ତି। ହେଲେ ପ୍ରତି ଥର ପ୍ରଭାବ ପକାଇ ବାବୁରାମ ମୋକଦ୍ଦମା ପ୍ରତ୍ୟାହାର କରାଇଦେଇଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ବାବୁରାମ କିପରି ତାଙ୍କ ପ୍ରତି ନିଷ୍ଠୁର ବ୍ୟବହାର କରୁଛନ୍ତି ସେ ନେଇ ନିତୁ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ବି ଭାଇରାଲ କରିଛନ୍ତି। ତେବେ ବିରୋଧୀ ଦଳ ପରିବାରକୁ ଢାଲ କରି ବାବୁରାମଙ୍କୁ ଅସୁବିଧାରେ ପକାଇବାକୁ ଷଡଯନ୍ତ୍ର କରୁଥିବା ତାଙ୍କ ଓକିଲ ବିଜୟ ଦ୍ୱିବେଦୀ କହିଛନ୍ତି। ଏଣୁ ବାବୁରାମ ଡିଭୋର୍ସ ଅପିଲ କରିଥିବା ଦ୍ୱିବେଦୀ କହିଛନ୍ତି।