ପୁଣି ଲକଡାଉନ୍ ହେଲା ଉତ୍ତରପ୍ରଦେଶ, ଶୁକ୍ରବାରଠାରୁ ସୋମବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ରାଜ୍ୟ ବନ୍ଦ

Published By : Prameya-News7 Bureau | July 09, 2020 IST

ଲକ୍ଷ୍ନୌ ୯।୭:  କରୋନା ସଂକ୍ରମଣକୁ ନେଇ ଉତ୍ତରପ୍ରଦେଶ ସରକାର ଶୁକ୍ରବାର ଠାରୁ ରାଜ୍ୟରେ ପୁଣି ୩ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି। ୧୦ ଜୁଲାଇ ରାତି ୧୦ରୁ ୧୩ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ସରକାର ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିୱାରୀ ଗୁରୁବାର ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି।

ସରକାରଙ୍କ ଆଦେଶ ଅନୁସାରେ ଲକଡାଉନ୍‌ କାଳରେ ରାଜ୍ୟର ସମସ୍ତ ବଜାର. ହାଟ, ମଣ୍ଡି, ସରକାରୀ ଓ ଘରୋଇ ଦପ୍ତର ଆଦି ବନ୍ଦ ରହିବ।  ତେବେ ଏହି ସମୟରେ ହସ୍ପିଟାଲ, ମେଡିସିନ ଷ୍ଟୋର ଓ ଅନ୍ୟ ଜରୁରି ଆବଶ୍ୟକ ସାମଗ୍ରୀ ଦୋକାନ ସବୁ ଖୋଲା ରହିବ। ସେହିପରି ଲକଡାଉନ କାଳରେ ମାଲବାହୀ ଯାନବାହନ ଚଳାଚଳରେ କୌଣସି ପ୍ରତିବନ୍ଧକ ନାହିଁ। ରାଜ୍ୟ ଓ ଜାତୀୟ ରାଜମାର୍ଗରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ସ୍ୱଭାବିକ ରହିବ। ସେହିପରି ରେଳ ଚଳାଚଳରେ ମଧ୍ୟ କୌଣସି ପ୍ରତିବନ୍ଧକ ନାହିଁ ବୋଲି କୁହାଯାଇଛି।

ସରକାରଙ୍କ ଆଦେଶ ଅନୁସାରେ ଜୁଲାଇ ୧୧ ଓ ୧୨ ତାରିଖରେ ସରକାରଙ୍କ ପକ୍ଷରୁ ସଫେଇ, ସ୍ୱଚ୍ଛତା ଓ ସ୍ୱଚ୍ଛ ପେୟଜଳ ଯୋଗାଣ ଲାଗି ବୃହତ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହି ସବୁ ଅଭିଯାନରେ ସାମିଲ କର୍ମଚାରୀଙ୍କ ଉପରେ ଲକଡାଉନର କୌଣସି ପ୍ରଭାବ ରହିବ ନାହିଁ। କରୋନା ସଂକ୍ରମଣ ପରଠାରୁ ରାଜ୍ୟରେ ଏପର୍ଯ୍ୟନ୍ତ ୮୪୫ ଜଣଙ୍କର ମୃତ୍ୟୁ ହେଲାଣି। ସେହିପରି ସଂକ୍ରମିତ ଙ୍କ ସଂଖ୍ୟା ୩୧ ହଜାର ପାର କରିଛି। ଏଣୁ ସରକାର ୩ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.