ମହାରାଷ୍ଟ୍ର ଏବଂ କେରଳରୁ ବିମାନରେ ଆସୁଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ ଅନିବାର୍ଯ୍ୟ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

Published By : Prameya-News7 Bureau | February 27, 2021 IST

ଲକ୍ଷ୍ନୈ, ୨୭/୦୨: ପୁଣି ଫେରିଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ର ଏବଂ କେରଳରେ ବୃଦ୍ଧି ହେବାରେ ଲାଗିଛି । ଏହାକୁ ନେଇ ଉଭୟ ସରକାର ସଜାଗ ହେବା ସହ କରୋନାକୁ କିପରି ନିୟନ୍ତ୍ରଣରେ ରଖାଯାଇ ପାରିବ ସେ ନେଇ ତତ୍ପରତା ପ୍ରକାଶ କରିଛନ୍ତି । ତେବେ ଅନ୍ୟ ରାଜ୍ୟମାନେ ମଧ୍ୟ ଏଥିପ୍ରତି ସଜାଗ ହୋଇଛନ୍ତି ।

ମହାରାଷ୍ଟ୍ର ଏବଂ କେରଳରୁ ବିମାନ ଯୋଗେ ଉତ୍ତରପ୍ରଦେଶକୁ ଆସୁଥିବା ବ୍ୟକ୍ତିଙ୍କୁ ୟୁପି ସରକାର କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ବିମାନ ବନ୍ଦରରେ ହିଁ ଆଣ୍ଟିଜେନ୍‌ ଟେଷ୍ଟର ବ୍ୟବସ୍ଥା କରାଯିବ । ଏନେଇ ସରକାର ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛନ୍ତି ।

ୟୁପି ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ଏନେଇ କହିଛନ୍ତି, ଏହି ଦୁଇ ରାଜ୍ୟରୁ ଆସୁଥିବା ଲୋକଙ୍କର କରୋନା ଟେଷ୍ଟ କରାଯିବ । ପଜିଟିଭ୍‌ ବାହିରିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯିବ ଏବଂ ଅଧିକ ତଦନ୍ତ କରାଯିବ ।

ତେବେ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍‌ ଟେଷ୍ଟ୍‌ ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ଏନେଇ ସେ କହିଛନ୍ତି ଯେ, କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଏହି ଟେଷ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ପାଖାପାଖି ଏଥିପାଇଁ ପ୍ରତ୍ୟକ ଦିନ ୧.୨୫ ଲକ୍ଷ ଟେଷ୍ଟ କରାଯିବ । କରୋନା ଆକ୍ରାନ୍ତଙ୍କ ପାଇଁ ପୂର୍ବ ପ୍ରସ୍ତୁତି କରାଯିବ । ଏଥିପାଇଁ ଆଇସୋଲେସନ୍‌ ସେଣ୍ଟର୍‌ ସମେତ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହିତ ଗାଇଡ୍‌ଲାଇନ୍‌କୁ ଉପଯୁକ୍ତ ଭାବେ ପାଳନ କରାଯିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.