UPରେ ESMA ଲାଗୁ କଲେ ଯୋଗୀ ସରକାର, ୬ ମାସ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ବନ୍ଦ
25/11/2020 at 6:07 PM

ଲକ୍ଷ୍ନୌ ୨୫।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବୁଧବାର ରାଜ୍ୟରେ ଅତ୍ୟାବଶ୍ୟକ ସେବା ପ୍ରବନ୍ଧନ ନିୟମ (ଏସମା) ଲାଗୁ କରିଛନ୍ତି। ଆଇନ ଅନୁସାରେ ରାଜ୍ୟରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ କୌଣସି ପ୍ରକାର ଆନ୍ଦଳନ, ହରତାଳ, ଧାରଣା ଅଥବା ଗଣଧାରଣାକୁ ଓହ୍ଲାଇପାରିବେନି। ଏନେଇ ଅଧିସୂଚନା ଜାରି ହୋଇଛି।
ରାଜ୍ୟରେ କରୋନା ଭାଇରସ ପ୍ରକୋପ ଯୋଗୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଜାରି ଅଧିସୂଚନାରେ ଲୋକହୀତ ଲାଗି ସରକାରଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡୁଥିବା କୁହାଯାଇଛି। ଆଇନ ଅନୁସାରେ ରାଜ୍ୟ କାର୍ଯ୍ୟକଳାପ ଅନ୍ତର୍ଗତ ଲୋକସେବା, ସରକାରୀ ନିୟନ୍ତ୍ରଣାଧୀନ ନିଗମ ଓ ସ୍ଥାନୀୟ ପ୍ରାଧିକରଣ ଅନ୍ତର୍ଗତ ସେବା କ୍ଷେତ୍ରରେ ଏସମା ଲାଗୁ ହୋଇଛି।
ଅତ୍ୟାବସକୀୟ ସେବା ଆଇନ ବା ଏସମା ୧୯୬୮ ମସିହାରେ ଲାଗୁ କରାଯାଇଥିଲା। ବିପରୀତ ପରିସ୍ଥିତିରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ଅଧିକାର ପ୍ରତ୍ୟାହାର ଲାଗି ସଂସଦ ଏହି ଆଇନ ପ୍ରଣୟନ କରିଥିଲେ। ଏସମା ଲାଗୁ ପୂର୍ବରୁ ଏଥିଯୋଗୁ ପ୍ରଭାବିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କୁ ଅଧିସୂଚନା ଜରିଆରେ ଜଣାଇ ଦିଆଯାଏ। କୌଣସି ରାଜ୍ୟ ଅଥବା କେନ୍ଦ୍ର ସରକାର ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ଏହି ଆଇନ ବଳବତ୍ତର ରଖିପାରିବେ। ସେହି ଅନୁସାରେ ଉତ୍ତର ପ୍ରଦେଶରେ ସରକାରୀ କର୍ମଚାରୀ ୨୫ ମେ ୨୦୨୧ ପର୍ଯ୍ୟନ୍ତ କୌଣସି ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇପାରିବେନାହିଁ କି ଏପରି କାର୍ଯ୍ୟକ୍ରମ ଆୟୋଜନ କରିବେ ନାହିଁ।