ଏହି ରାଜ୍ୟରେ ମେ ୨୬ରୁ ଖୋଲିବ ସମସ୍ତ ସରକାରୀ କାର୍ଯ୍ୟାଳୟ, ୩ ସିଫ୍ଟରେ ହେବ କାମ
24/05/2020 at 7:59 PM

ଲକ୍ଷ୍ନୌ ୨୪।୦୫: କରୋନା ଭୂତାଣୁ ସଂକ୍ରମଣର ପ୍ରତିରୋଧ ଲାଗି ଦେଶରେ ଲାଗୁ ଲକ୍ଡାଉନ୍ର ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି। ଏହି ପର୍ଯ୍ୟାୟରେ ଅନେକ କୋହଳ ଦିଆଯାଇଛି। ଏହି କ୍ରମରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସୋମବାରଠୁ ଅର୍ଥାତ ମେ ୨୫ରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ସୋମବାର ଇଦ୍ ପଡୁଥିବାରୁ ମେ ୨୬ରୁ ରାଜ୍ୟରେ ୫୦ ପ୍ରତିଶତ କର୍ମଚାରୀ ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବ। ଏହି ଆଦେଶ ମୁଖ୍ୟ ସଚିବ ଆରକେ ତିଓ୍ଵାରୀ ଜାରି କରିଛନ୍ତି।
ଆଦେଶ ଅନୁଯାୟୀ, ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବ। ଏଥିପାଇଁ ଅଫିସ୍ ଟାଇମ୍ ତିନୋଟି ସିଫ୍ଟରେ ବିଭକ୍ତ କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ସରକାରୀ ଦପ୍ତରରେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରଥମ ସିଫ୍ଟ, ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏ ଦ୍ଵିତୀୟ ସିଫ୍ଟ ଓ ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ତୃତୀୟ ସିଫ୍ଟରେ କାମ ହେବ। କାର୍ଯ୍ୟାଳୟରେ କାମ ସମୟରେ ସାମାଜିକ ଦୂରତା ପାଳନ ଅନିବାର୍ଯ୍ୟ। ସମସ୍ତ କର୍ମଚାରୀ ନିଜ ମୋବାଇଲରେ ଆରୋଗ୍ୟ ସେତୁ ବ୍ୟବହାର କରିବେ।
ସୂଚନାଯୋଗ୍ୟ, ୟୁପିରେ ଗତ ୨୪ ଘଣ୍ଟାରେ ୨୮୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୦୧୭କୁ ବୃଦ୍ଧି ଘଟିଛି। ଏହି ୨୪ ଘଣ୍ଟାରେ ତିନି ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୧୫୫ ଜଣଙ୍କ ପ୍ରାଣହାନୀ ଘଟିଛି। ୩୪୦୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ୍ ସକ୍ରିୟ କେସ୍ ସଂଖ୍ୟା ୨୩୩୨ ରହିଥିବା ରାଜ୍ୟ ମୁଖ୍ୟ ସ୍ଵାସ୍ଥ୍ୟ ସଚିବ ଅମିତ୍ ମୋହନ ପ୍ରସାଦ କହିଛନ୍ତି।