ଖୋଲିବ ଆଉ ଦେଢ ଲକ୍ଷ ଜନସେବା କେନ୍ଦ୍ର, ୪ ଲକ୍ଷରୁ ଅଧିକ ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି !

Published By : Prameya-News7 Bureau | October 05, 2020 IST

ଲକ୍ଷ୍ନୌ, ୦୫ ।୧୦:  ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ ଘୋଷଣା କରିଛନ୍ତି । ସେ ରାଜ୍ୟରେ ଦେଡ ଲକ୍ଷ ସାଧାରଣ ଜନସେବା କେନ୍ଦ୍ର ଖୋଲିବେ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୩ରୁ ୪ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗୋଟିଏ ଜନସେବା କେନ୍ଦ୍ରରେ ପ୍ରାୟ ୩ରୁ ୪ଜଣ କାମ କରିଥାନ୍ତି ।

ଏହାସହ ସରକାର ଜନସେବା କେନ୍ଦ୍ରର ଆୟ ବୃଦ୍ଧି ପାଇଁ ପ୍ରତି ଟ୍ରାଞ୍ଜାକ୍ସନ ୪ ଟଙ୍କା ବଦଳରେ ୧୧ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାଧାରଣ  ଜନସେବା କେନ୍ଦ୍ର ସମସ୍ତ ରାଜ୍ୟରେ ପିପିପି ମଡେଲରେ କାମ କରିଥାଏ । ଏଥିରେ ଅନେକ ପ୍ରକାରର କାମ କରାଯାଏ । ଯଦି ଆପଣ ଜନସେବା କେନ୍ଦ୍ର ଖୋଲିବାକୁ ଚାହୁଁଛନ୍ତି ତେବେ କିଛି ଜରୁରୀ ପ୍ରକ୍ରିୟା ପୂରଣ କରିବାକୁ ପଡିବ । ଏଥିପାଇଁ ସରକାରଙ୍କ ଲାଇସେନ୍ସ ଦରକାର । ଏଥିପାଇଁ ଆପଣଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ବିଭିନ୍ନ ଜନସେବା କେନ୍ଦ୍ରରେ ଆଧାର କାର୍ଡ ତିଆରି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଲୋକଙ୍କୁ ମିଳିଥାଏ । ଏହାସହ ପ୍ୟାନ୍ କାର୍ଡ, ଭୋଟର କାର୍ଡ, ଆୟ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ଭଳି ସେବା ମଧ୍ୟ ମିଳିଥାଏ ।

ତେବେ ଉତ୍ତର ପ୍ରଦେଶର ୭୫ ଜିଲ୍ଲାରେ ପିପିପି ମୋଡରେ ଏବେ ୬୩ ହଜାର ୧୧୯ଟି ଜନସେବା କେନ୍ଦ୍ର ଚାଲିଛି । ଆଉ କିଛି ମାସ ମଧ୍ୟରେ ନୂଆ ଦେଢ ଲକ୍ଷ ଜନସେବା କେନ୍ଦ୍ର ଖୋଲାଯିବ । ପ୍ରତି ୧୦ ହଜାର ଲୋକ ସଂଖ୍ୟାରେ ଗୋଟିଏ ଜନସେବା କେନ୍ଦ୍ର ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.