ୟୁପି ସୀମାରୁ ହଟିଲା ଆନ୍ଦୋଳନରତ ଚାଷୀଙ୍କ ଟେଣ୍ଟ, କିନ୍ତୁ ସ୍ବାଭାବିକ ହୋଇନି ଚଳପ୍ରଚଳ

Published By : Prameya-News7 Bureau | October 23, 2021 IST

ଲକ୍ଷ୍ନୌ ୨୩/୧୦ : ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଚାଷୀ ଆନ୍ଦୋଳନ ଧିରେ ଧିରେ ଶିଥିଳ ପଡିବାରେ ଲାଗିଛି । ୟୁପି ସୀମାରେ କୃଷକମାନଙ୍କ ମାନେ କୁଡିଆ କରି ରହୁଥିବା ବେଳେ ସେଗୁଡିକୁ ପ୍ରଶାସନ ପକ୍ଷରୁ ହଟାଇଦିଆଯାଇଛି । କିନ୍ତୁ ଏବେବି ସେଠାରେ ରାସ୍ତା ଖୋଲିନାହିଁ । ଲୋକମାନଙ୍କ ଚଳପ୍ରଚଳ ମଧ୍ୟ ସ୍ବାଭାବିକ ହୋଇନାହିଁ । ଏବେବି ୨୪ ନମ୍ବର ଜାତୀୟ ରାଜପଥ ବନ୍ଦ ହୋଇ ରହିଛି। ଗାଜିଆବାଦରୁ ଦିଲ୍ଲୀ ଓ ନୋଏଡ଼ା ଯିବାପାଇଁ ଲୋକଙ୍କୁ ପ୍ରତିଦିନ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ୟୁପି ସୀମାରେ ଏବେବି ତ୍ରୀସ୍ତରୀୟ ବ୍ୟାରିକେଡ୍‌ ରହିଛି । ବ୍ୟାରିକେଡ୍‌କୁ ଲାଗି ଚାଷୀ ରହୁଥିବା କୁଡିଆଗୁଡିକ ମଧ୍ୟ ରହିଥିଲା । ଯାହାକୁକି ଏବେ ହଟାଇଦିଆଯାଇଛି । ଗତବର୍ଷ ନଭେମ୍ବର ୨୬ ତାରିଖରୁ ଚାଷୀମାନେ ସେଠାରେ ଧାରଣାରେ ବସିରହିଛନ୍ତି । ଏହାଦ୍ୱାରା ସର୍ବସାଧରଣ ହିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜରୁରୀ କାମରେ ଯାଉଥିବା ବ୍ୟକ୍ତି ଅନ୍ୟ ରାସ୍ତା ଦେଇ ଯାଆସ କରୁଛନ୍ତି ।         

ଗାଜିଆବାଦ ନୋଏଡ଼ା ଆଦି ଅଞ୍ଚଳରୁ ପ୍ରତିଦିନ ବହୁ ଲୋକ ବିଭିନ୍ନ କାମରେ ଦିଲ୍ଲୀ ଆସୁଛନ୍ତି ଏବଂ ଦିଲ୍ଲୀରୁ ବିଭିନ୍ନ ସ୍ଥାନରୁ ଫେରନ୍ତି । କିନ୍ତୁ ଦିଲ୍ଲୀ, ନୋଏଡ଼ାକୁ ଆସୁଥିବା ଲୋକମାନେ ଏବେ ଅତିଷ୍ଟ ହୋଇଗଲେଣି । ରାସ୍ତା ବନ୍ଦ ଥିବାରୁ ବାଧ୍ୟ ହୋଇ ଅନ୍ୟ ପଟେ ଯିବା ଆସିବା କରୁଛନ୍ତି । ପୂର୍ବରୁ ନୋଏଡ଼ା ରୁ ଦିଲ୍ଲୀ ଯିବା ପାଇଁ ଯେଉଁଠି ମାତ୍ର ୨୦ ମିନିଟ ସମୟ ଲାଗୁଥିବା ଏବେ ଘଣ୍ଟା ଘଣ୍ଟା ଧରି ଲୋକମାନେ ଅନ୍ୟ ରାସ୍ତାଦେଇ ବୁଲିବୁଲି ଆସିବାକୁ ପଡୁଛି । ସେପଟେ ରାସ୍ତା ଆଦୌ ଅବରୋଧ ହୋଇନଥିବା କହିଛନ୍ତି କୃଷକ ନେତା । ସର୍ବସାଧାରଣ ଯାଆସ ପାଇଁ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖୋଲା ଅଛି ବୋଲି ଚାଷୀ ସ୍ପଷ୍ଟୋକ୍ତି ଦେଇଛନ୍ତି ।  

ୟୁପି ପ୍ରବେଶ ପଥରେ ଲଗାଯାଇଥିବା ବ୍ୟାରିକେଡ୍‌ ପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଦୋଷ ଦେଇଛନ୍ତି ଚାଷୀ । କୃଷକ ନେତାଙ୍କ କହିବା କଥା ବ୍ୟାରିକେଡ୍‌ର ଆଦୌ ଆବଶ୍ୟକତା ନଥିଲା । ଚାଷୀମାନେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁନଥିଲେ । କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ଲୋକଙ୍କୁ ଭଡକାଇବା ପାଇଁ ବ୍ୟାରିକେଡ୍‌ ତିଆରି କରିଥିଲା ।

ଏଠାରେ ସର୍ଭିସ ରୋଡ଼ ଏବଂ ଯାଆସ କରିବା ପାଇଁ ରାସ୍ତା ନଖୋଲିବାରୁ ଲୋକଙ୍କର ସମସ୍ୟା ବଢ଼ିଯାଇଛି । ଭାରତୀୟ କୃଷକ ୟୁନିଅନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ କହିଛନ୍ତି, ''ଆମ ହାତରେ କିଛି ନାହିଁ। ଚାଷୀଙ୍କ ପକ୍ଷରୁ କୌଣସି ରାସ୍ତା ବନ୍ଦ କରାଯାଇନାହିଁ। ଜାଣିଶୁଣୀ ଚାଷୀଙ୍କ ମୁଣ୍ଡର ଦୋଷ ଲଦାଯାଉଛି ।''

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.