ରାମଙ୍କ ବିୟୋଗରେ ମଞ୍ଚରେ ପ୍ରାଣ ତ୍ୟାଗ କଲେ ଦଶରଥ, ପରଦା ପଡିଲା ହେଲେ ଆଉ ଉଠିଲେନି, ଲୋକେ ଭାବିଲେ ଅଭିନୟ ଚାଲିଛି

Published By : Prameya-News7 Bureau | October 16, 2021 IST

ବିଜନୌର ୧୬।୧୦: ବିଜୟାଦଶମୀ ଉପଲକ୍ଷେ ମଞ୍ଚରେ ଚାଲିଥିବା ରାମଲୀଳା ପରିବେଷଣ। ଦର୍ଶକ ବସି ବେଶ୍ ଉପଭୋଗ କରୁଥିଲେ। ରାମଲୀଳାରେ ଦଶରଥ ଚରିତ୍ରରେ ଅଭିନୟ କରୁଥିଲେ ରାଜେନ୍ଦ୍ର ସିଂହ। ରାମଙ୍କ ବନ ଗମନର ଦୃଶ୍ୟ ଥିଲା।  ଏହି ଦୃଶ୍ୟରେ ରାଜା ଦଶରଥ ଭଗବାନ ରାମଙ୍କ ବନଗମନ  ବିୟୋଗରେ ବ୍ୟାକୁଳ ହୁଅନ୍ତି। ରାଜା ଦଶରଥ ଶୋକରେ ବୁଡି ଯାଆନ୍ତି। ଶେଷରେ ରାମଙ୍କ ବିୟୋଗ ସହିନପାରି ପ୍ରାଣ ତ୍ୟାଗ କରନ୍ତି। ହେଲେ ଦଶରଥ ଚରିତ୍ରରେ ଏମିତି ଭୂମିକା ନିଭାଇବା ସମୟରେ ହିଁ ରାଜେନ୍ଦ୍ର ସିଂହଙ୍କ ମଞ୍ଚରେ ପରଲୋକ ଘଟିଛି। ଦର୍ଶକ ଅଭିନୟ ଭାବି ରାମଲୀଳାର ଆନନ୍ଦ ଉଠାଇ ଚାଲିଥିଲେ।

ରାମଙ୍କ ବିୟୋଗରେ ଦଶରଥ ପ୍ରାଣ ତ୍ୟାଗିବା ପରେ ପରଦା ପକା ଯାଇଥିଲା। ହେଲେ ଦଶରଥ ଭୂମିକାରେ ଥିବା ରାଜେନ୍ଦ୍ର ସିଂହ ଆଉ ଉଠିନଥିଲେ। ପରଦା ପଡିବା ପରେ ବି କିଛି ସମୟ ଯାଏଁ ନଉଠିବାରୁ ସହଯୋଗୀ  କଳାକାର ରାଜେନ୍ଦ୍ରଙ୍କ ପାଖରେ ପହଞ୍ଚିଥିଲେ। ହେଲେ ଦଶରଥ ଚରିତ୍ରରେ ଅଭିନୟ କରୁଥିବା ରାଜେନ୍ଦ୍ରଙ୍କ ରାମ ବିୟୋଗରେ ବାସ୍ତବରେ ମଞ୍ଚରେ ହିଁ  ପ୍ରାଣ ତ୍ୟାଗ କରିଥିଲେ।

ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲା ଅନ୍ତର୍ଗତ ହସନପୁର ଗାଁରେ। ଗାଁରେ ଅକ୍ଟୋବର ୨ରୁ ରାମଲୀଳା ପରିବେଷ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୪ରେ ରାମଙ୍କ ବନ ଗମନର ଦୃଶ୍ୟ ମଞ୍ଚସ୍ଥ ହେଉଥିଲା। ଏହି ସମୟରେ ଦଶରଥର ସାଜିଥିବା ରାଜେନ୍ଦ୍ର ସିଂହ ଅଭିନୟ କରୁ କରୁ ଭଗବାନ ରାମଙ୍କ ବିୟୋଗରେ ମଞ୍ଚରେ ହିଁ ପ୍ରାଣ ତ୍ୟାଗ କରିଥିଲେ ଏବଂ ନିର୍ଜୀବ ଭାବେ ପଡି ରହିଥିଲେ।

ଦୃଶ୍ୟ ସମାପ୍ତି ପରେ ପରଦା ପଡିଥିଲା ଏବଂ ରାଜେନ୍ଦ୍ର ସିଂହଙ୍କୁ ମଞ୍ଚରୁ ଉଠିକି ଆସିବାର ଥିଲା। ହେଲେ ଏମିତି ହୋଇନଥିଲା। ସାଥୀ କଳାକାର ରାଜେନ୍ଦ୍ରଙ୍କୁ ଉଠାଇବାରୁ ଜଣା ପଡିଥିଲା ଯେ, ବାସ୍ତବରେ ତାଙ୍କର ପରଲୋକ ଘଟି ସାରିଛି। ଏହି ଘଟଣା ପରେ ରାମଲୀଳାରେ ଶୋକର ଛାୟା ଖେଳି ଯାଇଥିଲା। ରାମଲୀଳା ଦେଖିବାକୁ  ପହଞ୍ଚିଥିବା ଦର୍ଶକଙ୍କ ଆଖିରେ ଲୁହ ଭରି ଯାଇଥିଲା। ରାଜେନ୍ଦ୍ର ସିଂହ ଗତ ୨୦ ବର୍ଷ ଧର ରାମଲୀଳାରେ ଦଶରଥ ଚରିତ୍ରରେ ଅଭିନୟ କରି ଆସୁଥିଲେ। ତାଙ୍କର ଅଭିନୟ ଏତେ ଜୀବନ୍ତ ଥିଲା ଯେ, ଲୋକେ ଭାବ ବିହ୍ଵଳ ହୋଇ ପଡୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.