୨୦୨୨ UP ବିଧାନସଭା ନିର୍ବାଚନ: କେଶବ ମୌର୍ଯ୍ୟ କହିଲେ ‘ଅବକି ବାର ୩୦୦ ପାର’

Published By : Prameya-News7 Bureau | June 01, 2021 IST

ଲକ୍ଷ୍ନୌ ୧।୬: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତିରେ ହଲଚଲ ଦେଖା ଗଲାଣି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ମଙ୍ଗଳବାର ଆଗାମୀ ବିଧାନସଭା ନିର୍ବାଚନରେ ଶାସକ ବିଜେପି ୩୦୦ରୁ ଅଧିକ ଆସନରେ ପୁଣି ଜିତିବ ବୋଲି କହିଛନ୍ତି। ମୌର୍ଯ୍ୟ ପ୍ରଦେଶ ବିଜେପି କାର୍ଯ୍ୟାଳୟରେ ପାର୍ଟିର ଜାତୀୟ ମହାମନ୍ତ୍ରୀ ବି.ଏଲ. ସନ୍ତୋଷଙ୍କ ସହ ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ଭେଟିଥିଲେ। ବିଜେପି ପ୍ରଦେଶ ସଭାପତିଙ୍କ ନେତୃତ୍ୱରେ ପୁଣି ଥରେ ସରକାର ଗଢିବ ବୋଲି ସେ ଦୃଢୋକ୍ତି କରିଛନ୍ତି।

ସେ କହିଛନ୍ତି ଯେ ଗତ ୪ ବର୍ଷ ହେଲା ରାଜ୍ୟରେ ବିଜେପି ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ସବୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପିକୁ ୨୦୨୨ ବିଧାନସଭା ନିର୍ବାଚନରେ ୩୦୦ରୁ ଅଧିକ ଆସନ  ମିଳିବ ବୋଲି ଆଶାପୋଷଣ କରିଛନ୍ତି। ୟୁପିରେ ବିଜେପି ଏବେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଦଳର ଜାତୀୟ ମହାମନ୍ତ୍ରୀଙ୍କ ସହ ତାଙ୍କର ସଫଳ ଆଲୋଚନା ହୋଇଥିବା ସାମ୍ବାଦିକମାନଙ୍କୁ କହିଛନ୍ତି।  ଉଲ୍ଲେଖଯୋଗ୍ୟ ଯେ ବିଜେପି ଜାତୀୟ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ  ଦୁଇ ଦିବସୀୟ ଲକ୍ଷ୍ନୌ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ଅବସରରେ ସନ୍ତୋଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସହ ରାଜ୍ୟରେ ବ୍ୟାପିଥିବା କରୋନା ସଂକ୍ରମଣରୁ ଲୋକଙ୍କୁ ବାହାର କରିବା ଲାଗି ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉତ୍ତରପ୍ରଦେଶ ବିଜେପି ପ୍ରଭାରୀ ତଥା ଜାତୀୟ ଉପସଭାପତି ରାଧାମୋହନ ସିଂହ ମଧ୍ୟ ଯୋଗ ଦେଇଥିଲେ।  ବୈଠକ ପରେ ମୌର୍ଯ୍ୟ ଗଣମାଧ୍ୟମ ସହ ଆଲୋଚନା କାଳରେ ବିଧାନସଭା ନିର୍ବାଚନ ଲାଗି ବିସ୍ତୃତ ଆଲୋଚନା ହୋଇଥିବା କହିଛନ୍ତି। ଏଥିରେ ଆମେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ପୁଣି କ୍ଷମତାକୁ ଫେରିବୁ ବୋଲି ଦୃଢତାର ସହ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.