ଆୟୁଷ ଥିଲେ ହାର୍ ମାନିଯାଏ ମୃତ୍ୟୁ, ୩ କିଲୋମିଟରକୁ ୩ ମିନିଟରେ ପହଞ୍ଚି ଜୀବନ ବଞ୍ଚାଇଦେଲେ ପୋଲିସ

Published By : Prameya-News7 Bureau | October 20, 2021 IST

ଉତ୍ତରପ୍ରଦେଶ ୨୦/୧୦: ଫାଶୀ ଖୁଣ୍ଟରେ ଝୁଲୁଥିବା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଦେଇଛି ୟୁପି ପୋଲିସ । ଆତ୍ମହତ୍ୟା କରିବାକୁ ବସିଥିବା ୪୫ ବର୍ଷୀୟ ବ୍ୟକ୍ତିଙ୍କ ଝିଅ ୧୧୨ ଏମରଜେନ୍ସି ନମ୍ୱରକୁ ଫୋନ କରିବା ପରେ ବଞ୍ଚିଯାଇଛି ଗୋଟିଏ ପ୍ରାଣ । ଘଟଣା ଘଟିଛି ଉତ୍ତର ପ୍ରଦେଶ କୋଶାମ୍ୱୀ ଜିଲ୍ଲାରେ ।

ପୋଲିସ କହିବା ମୁତାବକ ଜିଲ୍ଲାରେ ଥିବା ଗାଁଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିଲା ପୋଲିସ ଷ୍ଟେସନ । ହେଲେ ଝିଅଟିର ଫୋନ ପରେ ସେମାନେ ୩ ମିନିଟରେ ପହଞ୍ଚି ଲୋକଟିର ଜୀବନ ବଞ୍ଚାଦେଇଥିଲେ । ସୂଚନା ଅନୁୟାୟୀ, ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ଝିଅଟି ନିଜ ଭାଇ କହିବା ପରେ ପ୍ରଥମେ ୧୧୨ ନମ୍ୱରକୁ କଲ୍ କରିଥିଲା । ୧୧୨ ଇନଚାର୍ଜରେ ଥିବା ଅଧିକାରୀ କହିଛନ୍ତି ମଧ୍ୟାହ୍ନ ୨.୧୦ରେ ଆମକୁ ଏକ ଫୋନ କଲ୍ ଆସିଥିଲା ।

ଖବର ପାଇବା ମାତ୍ରେ ହିଁ ସଂଗେ ସଂଗେ ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । ଯେହେତୁ ଏହା ଏକ ଜରୁରୀ କାଳୀନ ଘଟଣା ୩ କିଲୋମିଟର ଯାତ୍ରାକୁ ମାତ୍ର ୩ ମିନିଟରେ ସାରି ପହଞ୍ଚିଯାଇଥିଲେ । ପିଆରବି ଅଧିକାରୀ କହିଛନ୍ତି ପହଞ୍ଚିବା ପରେ ଆମେ ଦେଖିବାକୁ ପାଇଥିଲୁ କି, ସେଠାରେ ଲୋକ ଗହଳି ହୋଇଛି । ଝରକା ପଟେ ଦେଖିବାରୁ ଜଣାପଡିଥିଲା ଜଣେ ବ୍ୟକ୍ତି ନିଜକୁ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ।

ଯେ କୌଣସି ମୂହୂର୍ତ୍ତରେ ତାଙ୍କର ଜୀବନ ଚାଲିଯାଇପାରେ । ଆମେ ଆଉ କାଳ ବିଳମ୍ୱ ନକରି ତୁରନ୍ତ କବାଟ ଭାଙ୍ଗି ଦେଇଥିଲୁ । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲା ଏକ ମୂଲ୍ୟବାନ ଜୀବନ । କିନ୍ତୁ ସେତେବେଳକୁ ତାଙ୍କର ଚେତା ବୁଡିଯାଇଥିଲା । ପରେ ତାଙ୍କୁ ମୁହଁରା ପାଣି ସିଞ୍ଚନ କରିବା ପରେ ତାଙ୍କର ହୋସ ଆସିଥିଲା । ପରେ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ।

ଯାହା ଫଳରେ ସେହିଦିନ କିଛି ସମୟ ହସ୍ପିଟାଲରେ ରହିବା ପରେ ଡିସଚାର୍ଜ ହୋଇଥିଲେ । ପରିବାର ପକ୍ଷରୁ ମଙ୍ଗଳବାର ପୋଲିସକୁ ତାଙ୍କ ପୁଅ କହିଛନ୍ତି ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ୨୪ ବର୍ଷୀୟ ପୁଅ କହିଛନ୍ତି ନିଶା ଖାଇବା ପରେ କୌଣସି କାରଣରୁ ମାଆ ସହ ଝଗଡା କରିଥିଲେ । ପରେ ସେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ସେ ଆହୁରି କହିଛନ୍ତି ଯେହେତୁ ମୁଁ ଗାଁରେ ରହୁନି, ତ ମୋ ପକ୍ଷେ ସମ୍ଭବ ନଥିଲା ବାପାଙ୍କ ଜୀବନ ବଞ୍ଚାଇବା ।

ସେଥିପାଇଁ ମୁ ବାଧ୍ୟହୋଇ ଭଉଣୀକୁ କହିଥିଲି ପୋଲିସର ସହଯୋଗ ନେବାକୁ । ପରେ ସେପରି ହୋଇଥିଲା, ଭଉଣୀ ପୋଲିସକୁ ଫୋନ କରିବା ପରେ ପୋଲିସ ସଂଗେ ସଂଗେ ସେଠାରେ ପହଞ୍ଚିଯାଇଥିଲା । ଘଟଣା ପରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ପରିବାର ତରଫରୁ କୁହାଯାଇଛି କି କୌଣସି ପ୍ରକାରର ଭିଡିଓ ବା ଫଟୋ ସୋସିଆଲ ମିଡିଆରେ ସେୟାର କରାନଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.