ଦଳ ବିରୋଧୀ ଟିପ୍ପଣୀ କରିଥିବା ଆଜାଦଙ୍କୁ ବହିଷ୍କାର କରାଯାଉ, ସୋନିଆଙ୍କଠାରେ ଦାବି କଲେ ୟୁପି କଂଗ୍ରେସ ନେତା

Published By : Prameya-News7 Bureau | August 29, 2020 IST

ଲକ୍ଷ୍ନୌ ୨୯।୦୮: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କ ଟିପ୍ପଣୀକୁ ନେଇ ଉତ୍ତର ପ୍ରଦେଶ ନେତା ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଶନିବାର କଂଗ୍ରେସ ନେତା କହିଛନ୍ତି ପାର୍ଟିକୁ ଗୁଲାମ ନବି ଆଜାଦଙ୍କୁ ବହିଷ୍କାର କରିବା ଉଚିତ୍। ଚିଠିରେ ହସ୍ତାକ୍ଷର କରିଥିବା ଲୋକଙ୍କ ମଧ୍ୟରେ ଗୁଲାମ ନବି ଆଜାଦ ମଧ୍ୟ ସାମିଲ। ଏହି ଚିଠିରେ ଦଳର ସାଂଗଠନିକ ଭିତ୍ତିଭୂମି ସଜାଡିବା ପାଇଁ ଉଲ୍ଲେଖ କରାଯାଇଥିଲା।

ଦଳର ୨୩ ଜଣ ବରିଷ୍ଠ ନେତା ଚିଠି ଲେଖି ପାର୍ଟିର ସଭାପତି ସୋନିଆ ଗାନ୍ଧୀଙ୍କୁ ଦଳରେ କ୍ଷମତାର ବିକେନ୍ଦ୍ରୀକରଣ, ପୂର୍ଣ୍ଣକାଳୀନ ସଭାପତି ଏବଂ ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ପାର୍ଟି ପ୍ରମୁଖ ସୋନିଆ ଗାନ୍ଧୀ କହିଛନ୍ତି ସେ ନେତାଙ୍କ ପତ୍ର ନେଇ ଦୁଃଖିତ ଥିଲେ, ମାତ୍ର ଏବେ ଏହି ପ୍ରସଙ୍ଗ ସମାପ୍ତ ହୋଇ ସାରିଛି। ଚିଠିକୁ ନେଇ ବୈଠକରେ ଝଡ ସୃଷ୍ଟି ହୋଇଥିଲା।

 ଏହି ଘଟଣା ପରେ ୨୦୦୪ ଏବଂ ୨୦୧୬ରେ ପାର୍ଟିର ଏମଏଲସି ରହିଥିବା ନଶିବ ପଠାନ ଗଣମାଧ୍ୟମ ସହ ଆଲୋଚନା ପରେ ଫେସବୁକ ପୋଷ୍ଟ କରି ଗୁଲାମ ନବି ଆଜାଦଙ୍କୁ ପାର୍ଟିରୁ ବହିଷ୍କାର କରାଯାଉ ବୋଲି  ପାର୍ଟିର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କଠାରେ ଦାବି କରିଛନ୍ତି।

ସେ କହିଛନ୍ତି ଗୁଲାମ ନବି ଆଜାଦ ପାର୍ଟିର ଶୃଙ୍ଖଳା ଭଙ୍ଗ କରିଛନ୍ତି। ତେଣୁ ତାଙ୍କୁ ପାର୍ଟିରୁ ବହିଷ୍କାର କରାଯିବା ଉଚିତ୍। ଏହାର ପୂର୍ବ ଦିନ ପଠାନ ଏହି ମାମଲାକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ।

ସେ କହିଛନ୍ତି ଆଜାଦ ଆପଣ ଜାଣିଛନ୍ତି ଆପଣ ଯେବେ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିଲେ ୩୨୦ ଖଣ୍ଡ ଭୋଟ୍ ପାଇଥିଲେ। ଏହା ପରେ ଆପଣ ପ୍ରତି ଜାଗାରେ ମନୋନୀତ ହୋଇଛନ୍ତି। ପାର୍ଟି ବିଷୟରେ ଏମିତି ଟିପ୍ପଣୀ କରିବା ଉଚିତ୍ ନୁହେଁ। ପ୍ରଥମ ଥର ପଠାନ ଗୁଲାମ ନବି ଆଜାଦଙ୍କ ବିରୋଧରେ ଏମିତି ମନ୍ତବ୍ୟ ଦେଇ ନାହାନ୍ତି।

୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପରେ ପଠାନ କହିଥିଲେ ଆଜାଦ ୟୁପିର କଂଗ୍ରେସ ପ୍ରଭାରୀ ଥିଲେ। ନିର୍ବାଚନରେ ଦଳ ଶୋଚନୀୟ ପ୍ରଦର୍ଶନ କରିଥିଲା। ଏଥିପାଇଁ ଆଜାଦ ନିଜକୁ ଦାୟୀ କରି ଇସ୍ତଫା ଦେଇଦେବା ଉଚିତ୍ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.