ରାଷ୍ଟ୍ରପତିଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟଙ୍କ ଚିଠି, ବିନା କାରଣରେ ବାରମ୍ବାର ଗିରଫ କରୁଛି ପୋଲିସ, ନିର୍ବାହ କରାଇଦେଉନି ଜନପ୍ରତିନିଧି ଦାୟିତ୍ୱ
1/01/2021 at 6:24 PM

ଲକ୍ଷ୍ନୌ୧।୧: ବାରମ୍ବାର ପୋଲିସ ଗିରଫଦାରୀରେ ଅତିଷ୍ଠ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲଲ୍ଲୁ ରାଷ୍ଟପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିଛନ୍ତି। ଯେଉଁଥିରେ ପୋଲିସ ତାଙ୍କୁ ଜନପ୍ରତିନିଧି ଭାବେ ଦାୟିତ୍ୱ ନିର୍ବାହ ମଧ୍ୟ କରାଇ ଦେଉନଥିବା କହିଛନ୍ତି। ପୋଲିସର ବାରମ୍ବାର ଗିରଫଦାରୀରେ ଅତିଷ୍ଠ ହୋଇ ସେ ଏପରି ପତ୍ର ଲେଖିଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ସେ ଫୁଲହାର ପିନ୍ଧାଇଲେ ପୋଲିସ ତାକୁ ଆପରାଧ ବିବେଚନା କରୁଥିବା ଉଲ୍ଲେଖ କରିଛନ୍ତି।

୨୮ ଡିସେମ୍ବର କଂଗ୍ରେସ ସ୍ଥାପନା ଦିବସ ଅବସରରେ ଲଲ୍ଲୁ ପାର୍ଟି କର୍ମକର୍ତ୍ତାଙ୍କ ସହ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଲାଗି ଯାଉଥିବା ବେଳେ ବିନା କୌଣସି ପୂର୍ବ ସୂଚନାରେ ପୋଲିସ ସେମାନଙ୍କୁ ଅଟକାଇ ଗିରଫ କରିଥିବାର ଲଲ୍ଲୁ ଅଭିଯୋଗ କରିଛନ୍ତି। କୋଭିଡ ଲକଡାଉନରୁ ଅନଲକ୍ ପର୍ଯ୍ୟୟ ଦେଶରେ ଅନେକ ସମୟରୁ ଆରମ୍ଭ ହେଲାଣି। ହେଲେ ୟୁପି ପୋଲିସ ଖାସ ତାଙ୍କ ଲାଗି ଏପର୍ଯ୍ୟନ୍ତ ଲକଡାଉନ ଜାରି ରଖିଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କୁ ପୋଲିସ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ ନା ସାମିଲ କରେଇ ଦେଉଛି ନା ବିରୋଧ ବିକ୍ଷୋଭ କରାଇ ଦେଉଛି ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ଫଳରେ ଜଣେ ନିର୍ବାଚିତ ଜନ ପ୍ରତିନିଧି ଭାବେ ସେ ନା ଜନତାଙ୍କ ସେବା କରିପାରୁଛନ୍ତି ନା ଦଳ ଲାଗି କିଛି କରିପାରୁଛନ୍ତି ବୋଲି ପତ୍ରରେ ଲେଖିଛନ୍ତି। ପୋଲିସ ତାଙ୍କୁ କୌଣସି ସଭା ଅଥବା ସମିତି କରାଇ ଦେଉନି। ଯେଉଁଠାକୁ ଗଲେ ସେଠାକୁ ପହଞ୍ଚି ତାଙ୍କୁ ବିନା କାରଣରେ ଗିରଫ କରିନେଉଛି ଓ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଉଛି। ଏଥିରେ ତାଙ୍କର ରାଜନୈତିକ ଦୂରର କଥା ଏବେ ସାମାଜିକ ସମ୍ପର୍କକୁ ମଧ୍ୟ ଖରାପ କରୁଥିବାର ସେ ଅଭିଯୋଗ କରିଛନ୍ତି।