ୟୁପିର ସ୍ବାସ୍ଥ୍ୟ ମନ୍ତ୍ରୀ କରୋନା ସଂକ୍ରମିତ : କେବଳ ଲକ୍ଷ୍ନୌରେ ସାଢ଼େ ପାଞ୍ଚ ହଜାର ସଂକ୍ରମିତ
24/07/2020 at 2:50 PM

ଲକ୍ଷ୍ନୌ ୨୪/୭: ସମଗ୍ର ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣହୀନ ହୋଇପଡ଼ିଛି। ଯାଞ୍ଚରେ ଅନେକସଂଖ୍ୟକ ରୋଗୀ ସାମନାକୁ ଆସୁଛନ୍ତି। ଶୁକ୍ରବାର ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ମଧ୍ୟ କରୋନା ସଂକ୍ରମିତ ଜଣା ପଡ଼ିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଲଗାତାର ବୈଠକରେ ସାମିଲ ହେଉଥିଲେ।
ଏହା ପୂର୍ବରୁ ଗୁରୁବାର ରାଜଧାନୀରେ ୩ବୟସ୍କଙ୍କ ସମେତ ୬ଜଣଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଯାଇଛି। ଏଥିରେ ୩ଜଣ ଲକ୍ଷ୍ନୌର ଏବଂ ୩ଜଣ ଅନ୍ୟ ଜିଲ୍ଲାର ମୃତକ। ଏହା ବ୍ୟତୀତ ଉନ୍ନାଓର ପୂର୍ବତନ ସାଂସଦ ସମେତ ୩୦୭ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ମୁଖ୍ୟ ପର୍ଯ୍ୟବେକ୍ଷକ ସମେତ ଆରବିଆଇର ଗାର୍ଡ଼ ଏବଂ ପୋଲିସ୍ ଲାଇନର କେତେକ ପୋଲିସ୍ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ହଜରତଗଞ୍ଜ ଷ୍ଟେଟ୍ ବ୍ୟାଙ୍କର ୧୧ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ସଚିବାଳୟରେ ଜଣେ କ୍ୟାଣ୍ଟିନ୍ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୨୬ହୋଇଯାଇଛି। ସେହିପରି ୧୬୧ଜଣ ରୋଗୀ କରୋନାକୁ ମାତ୍ ଦେଇଛନ୍ତି।