କରୋନା ଆତଙ୍କ: ଏବେ ୟୁପିରେ ଘରେ ରହି କାମ କରିବେ ସରକାରୀ ଓ ଘରୋଇ କର୍ମଚାରୀ

Published By : Prameya-News7 Bureau | March 17, 2020 IST

ଲକ୍ଷ୍ନୌ ୧୭।୦୩: କରୋନା ଭୂତାଣୁରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଉତ୍ତର ପ୍ରଦେଶ ସରକାର କ୍ୟାବିନେଟ୍ ବୈଠକରେ ଅନେକ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଲୋକଭବନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ କର୍ମଚାରୀଙ୍କ ଲାଗି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ସରକାରୀ କାର୍ଯ୍ୟାଳୟରେ ଭିଡ ହ୍ରାସ କରିବା ପାଇଁ କର୍ମଚାରୀଙ୍କୁ ଘରେ ରହି କାମ କରାଇବା ସୁନିଶ୍ଚିତ କରିବେ। ଏହା  ବ୍ୟତୀତ ଘରୋଇ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କ୍ୟାବିନେଟ୍  ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ମୁଖପାତ୍ର ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ, ସଂପ୍ରତି କରୋନା ଭୂତାଣୁ ଦ୍ଵିତୀୟ ପର୍ଯ୍ୟାୟରେ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ ଘରେ ରହି କାମ କରିବାକୁ ଅପିଲ କରିଛନ୍ତି। କରୋନାର ତୃତୀୟ ପର୍ଯ୍ୟାୟକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ଘରୋଇ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କର୍ମଚାରୀଙ୍କ ଲାଗି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟି ସରକାରୀ କର୍ମଚାରୀ ଘରେ ରହି କାମ କରିବାର ବ୍ୟବସ୍ଥା ସୁନିଶ୍ଚିତ କରିବେ। ସଂପ୍ରତି ଯେଉଁଠି ସୁବିଧା ସେଠାରେ କର୍ମଚାରୀ ଘରେ ରହି କାମ କରି ପାରିବେ। ଏହା ସହିତ ରାଜ୍ୟରେ ଧାରଣ ପ୍ରଦର୍ଶନ ଉପରେ ସଂପୂର୍ଣ୍ଣ  ଭାବେ ପ୍ରତିବନ୍ଧକ ଲଗାଯାଇଛି।

{"id":239832,"width":746,"height":472,"sizeSlug":"large"}

ଶ୍ରୀକାନ୍ତ ଶର୍ମା କହିଛନ୍ତି, ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ରୋଜଗାର ଲାଗି ଘରୁ ବାହାରୁଛନ୍ତି ସେମାନଙ୍କ ଲାଗି ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆଧାରରେ ସେମାନଙ୍କ ବ୍ୟାଙ୍କ ଖାତାରେ ଆରଟିଜିଏସ ଜରିଆରେ ଅର୍ଥ ପଠାଯିବ, ଯଦ୍ଵାରା ସେମାନେ ଘରେ ରହି ନିଜର ଗୁଜରାଣ ମେଣ୍ଟାଇ ପାରିବେ।

ଉଲ୍ଲେଖନୀୟ ଉତ୍ତର ପ୍ରଦେଶରେ ମଙ୍ଗଳବାର ଅନୁଷ୍ଠିତ ଯୋଗୀ ସରକାରଙ୍କ କ୍ୟାବିନେଟ୍ ବୈଠକରେ ପାଞ୍ଚ ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକରେ କରୋନାକୁ ନେଇ ଉଠାଯାଇଥିବା ପଦକ୍ଷେପର ସମୀକ୍ଷା କରାଯିବା ସହ ଅନେକ ଗାଇଡଲାଇନ ଓ ନିର୍ଦ୍ଦେଶ ଜାରି କରାଯାଇଛି। ନୂତନ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ଏହା ସହିତ ୟୁପିର ସମସ୍ତ ସ୍କୁଲ ଏପ୍ରିଲ ୨ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏହି ସମୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି।

କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ, କରୋନା ଭୂତାଣୁର ପ୍ରକୋପକୁ ନଜରରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ସପିଂ ମଲ ଓ କଲେଜକୁ ଏପ୍ରିଲ ୨ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଧାର୍ମିକ ନେତାଙ୍କୁ ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ଵାର ଓ ଅନ୍ୟ  ଧାର୍ମିକ ସ୍ଥାନରେ ଭିଡ କମ କରିବାକୁ ଅପିଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.