କରୋନା ଆପବିତି ଶୁଣାଇଲେ BJP ବିଧାୟକ, ବେଡ ନଥିବାରୁ ଡାକ୍ତରଖାନା ଚଟାଣରେ ଶୁଆଇ କରାଇଲେ ପତ୍ନୀଙ୍କ ଚିକିତ୍ସା

Published By : Prameya-News7 Bureau | May 10, 2021 IST

ଜସରାନା ୧୦।୫: ଉତ୍ତରପ୍ରଦେଶ ଫିରୋଜାବାଦ ଜସରାନା ବିଜେପି ବିଧାୟକ ରାମଗୋପାଲ ଲୋଧି କରୋନାରେ ଆକ୍ରାନ୍ତ ତାଙ୍କ ପତ୍ନୀଙ୍କ ଚିକିତ୍ସା ଲାଗି ସମ୍ମୁଖୀନ ହୋଇଥିବା ସମସ୍ୟା ଭିଡିଓ ମାଧ୍ୟମରେ ବଖାଣିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶରେ ବିଜେପି ସରକାରର ବିଧାୟକଙ୍କ ପତ୍ନୀଙ୍କୁ ହସ୍ପିଟାଲରେ ବେଡଟିଏ ମିଳିପାରି ନଥିଲା। ଏଣୁ ପାଖାପାଖି ୩ ଘଣ୍ଟା କାଳ ସେ ମେଡିକାଲ ଚଟଣାରେ ଶୋଇ ଚିକିତ୍ସା ଲାଗି ଅପେକ୍ଷା କରି ରହିଥିଲେ।

ରାମଗୋପାଲ ନିଜେ କରୋନା ସଂକ୍ରମିତ ହୋଇଥିଲେ। ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହୋଇ ସେ ଏବେ ଘରକୁ ଫେରିଛନ୍ତି। ତେବେ ତାଙ୍କ ପତ୍ନୀ ସଂକ୍ରମିତ ହେବା ପରେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ମଧ୍ୟ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦେଇଥିଲେ। ହେଲେ ତାଙ୍କ ଅବସ୍ଥା ଜଟିଳ ଥିବାର ଡାକ୍ତର ତାଙ୍କୁ ଆଗରା ଏସ୍.ଏନ୍. ମେଡିକାଲ କଲେଜ ରେଫର କରିଦେଇଥିଲେ। ତେବେ ସେଠାରେ ବେଡ ଉପଲବ୍ଧ ନଥିବାରୁ ବିଧାୟକଙ୍କ ପତ୍ନୀଙ୍କୁ ୩ ଘଣ୍ଟା କାଳ ମେଡିକାଲ ଚଟାଣରେ ପଡି ରହିବାକୁ ପଡିଥିଲା।

ତେବେ ବିଧାୟକଙ୍କ ଅନୁନୟ ଅନୁରୋଧ ପରେ ତାଙ୍କ ପତ୍ନୀଙ୍କ ଲାଗି ଅତି କଷ୍ଟରେ ଡିଏମଙ୍କ ସୁପାରିଶରେ ବେଡଟିଏ ମିଳିପାରିଥିଲା। ହେଲେ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ କିପରି ଅଛି ସେନେଇ ବିଧାୟକ ୩ ଦିନ ହେଲା ଜାଣିବାକୁ ଉଦ୍ୟମ କରୁଥିଲେହେଁ ତାଙ୍କୁ ସାମାନ୍ୟ ସୂଚନା ମଧ୍ୟ ମିଳିପାରୁନି ବୋଲି ସେ ଅଭିଯୋଗ ଆଣିଛନ୍ତି। ଯଦି କ୍ଷମତାସୀନ ଦଳର ଜଣେ ବିଧାୟକଙ୍କ ପତ୍ନୀ ଚିକିତ୍ସା ଲାଗି ଏତେ ହନ୍ତସନ୍ତ ତେବେ ଏଥିରୁ ଉତ୍ତରପ୍ରଦେଶରେ କରୋନାରେ ଆକ୍ରାନ୍ତ ସାଧାରଣ ଜନତାଙ୍କ ଅବସ୍ଥା କିପରି ତାହା ସହଜରେ ଅନୁମାନ କରାଯାଇପାରେ।

ଉତ୍ତରପ୍ରଦେଶ ସରକାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବାର ଦାବି କରୁଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା, ଔଷଧ, ଅକ୍ସିଜେନ ସମେତ ରୋଗୀଙ୍କ ଖାଇବା ପିଇବାର ମଧ୍ୟ ସୁ ବନ୍ଦୋବସ୍ଥ କରୁଥିବା କହିଛନ୍ତି। ତେବେ ଜସରାନା ବିଧାୟକ ସରକାରଙ୍କ ପୋଲ ଖୋଲିଦେଇଛନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ  ସୂଚନା ପାଇବାକୁ ବାରମ୍ବାର ହସ୍ପିଟାଲକୁ ଯୋଗାଯୋଗ କରି ବିଫଳ ହେଉଛନ୍ତି ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.