ମାସ୍କ ଲାଗି ପୋଲିସ ସହ ଗଣ୍ଡଗୋଳ କରି ବିଜେପି ନେତା ଓ ତାଙ୍କ ପୁଅ ଗିରଫ

Published By : Prameya-News7 Bureau | July 04, 2020 IST

ଲକ୍ଷ୍ନୌ ୪।୭:  ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ଶାସକ ଦଳର ଜନୈକ ନେତା ଓ ତାଙ୍କ ପୁତ୍ରଙ୍କୁ ପୋଲିସ ଶନିବାର ଗିରଫ କରିଛି। ଗିରଫ ୨ ଜଣ ହେଲେ ସୁରେନ୍ଦ୍ର ପଟେଲ ଓ ତାଙ୍କ ପୁଅ ବିକାଶ ପଟେଲ। ସାମାନ୍ୟ ମାସ୍କକୁ ନେଇ ପଚରା ଉଚରା ଓ ଏଥିରୁ ବଚସାରୁ  ସୁରେନ୍ଦ୍ର ଓ ପୁଅ ମିସି ଜଣେ ସବଇନିସପେକ୍ଟରଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କୁ ମାଡ ମାରିଥିଲେ। ଏହି ଘଟଣାରେ ପଟେଲ ଓ ତାଙ୍କ ପୁଅଙ୍କ ସମେତ ଅନ୍ୟ ୫ ଜଣ ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କ ଗିରଫଲାଗି ବିଭିନ୍ନ ସ୍ଥାନରେ ଚଢଉ କରାଯାଉଥିବା ଏସଏସପି ପ୍ରଭାକର ଚୌଧୁରୀ କହିଛନ୍ତି।

ବିକାଶଙ୍କର ମାସ୍କଟି ହଜି ଯାଇଥିଲା।  ଏ ନେଇ ସେ ପୋଲିସ କର୍ମଚାରୀଙ୍କୁ ପଚାରିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ତେବେ କାଶୀ ବିଜେପି କାର୍ଯ୍ୟକର୍ତ୍ତା ମହେସଚନ୍ଦ୍ର ଶ୍ରୀବାସ୍ତବ ଏହାକୁ ଦୁର୍ଭାଗ୍ୟଜନକ ଓ ଅତ୍ୟନ୍ତ ଛୋଟ ଘଟଣା ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତ୍ରିରେ ସୁନ୍ଦରପୁର-ଖ୍ୱାଜା ରୋଡରେ କେହି କାହାକୁ ଧମକ୍ ଦେଉଥିବାର  ଫାଣ୍ଡି ଅଧିକାରୀ ସୁନୀଲ ଗୌଡଙ୍କୁ ସୂଚନା ମିଳିଥିଲା। ସେହି ଅନୁସାରେ ପୋଲିସ ଟିମ୍‌ ସହ ସୁନୀଲ ସେଠାରେ ପହଞ୍ଚିବା ବେଳେ ସୁରେନ୍ଦ୍ର ପଟେଲଙ୍କ ପୁଅ ବିକାଶ ସେଠାରେ ବସିଥିବାର ଦେଖାଯାଇଥିଲା। ସେ ତାଙ୍କର ହଜି ଯାଇଥିବା ମାସ୍କକୁ ନେଇ ବିବ୍ରତ ଥିଲେ। ତେବେ ପୋଲିସ ପହଞ୍ଚିଯିବାରୁ ସେ ଅସଭ୍ୟ ଭାଷାରେ ପୋଲିସକୁ ଗାଳି ଗୁଲଜ କରିବା ସହ ମାରପିଟକୁ ଓହ୍ଲାଇ ଆସିଥିଲେ।

ଏଥିରେ ପୋଲିସ ତାଙ୍କୁ କାବୁ କରିବାରୁ ସେ ଜିଲ୍ଲା ପଞ୍ଚାୟତ ସଦସ୍ୟ ଥିବା ତାଙ୍କ ପିତା ସୁରେନ୍ଦ୍ର ପଟେଲଙ୍କୁ ସେଠାକୁ ଡକାଇଥିଲେ। ପଟେଲ କିଛି ଲୋକଙ୍କ ସହ ଘଟଣା ସ୍ଥଳକୁ ପହଞ୍ଚିବା ସହ ପୋଲିସ ସହ ମାରପିଟ୍ ଆରମ୍ଭ କରିଦେଇଥିଲେ। ଘଟଣା ନେଇ ଲଙ୍କା ପୋଲିସ ଷ୍ଟେସନରେ ସୁରେନ୍ଦ୍ର, ତାଙ୍କପୁଅଙ୍କ ସମେତ ମୋଟ ୭ ଜଣଙ୍କ ନାମରେ ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ ହୋଇଛି। ବାପ ପୁଅଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୫ ଜଣ ଫେରାର ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.