ଉତ୍ତର ପ୍ରଦେଶରୁ ଜୈସ ଆତଙ୍କବାଦୀ ସଂଗଠନର ୨ ସଂଦିଗ୍ଦ ଆତଙ୍କବାଦୀ ଗିରଫ , କାଶ୍ମୀରର ୧୧ଛାତ୍ରଙ୍କ ସହ ଓଡିଶାର କିଛି ଛାତ୍ର ମଧ୍ୟ ଅଟକ

Published By : Prameya-News7 Bureau | February 22, 2019 IST

ଉତ୍ତର ପ୍ରଦେଶ ଏଟିଏସକୁ ଆଜି ଏକ ବଡ ସଫଳତା ମିଳିଛି | ଏଟିଏସ ଆଜି ଭୋରରୁ ସାହାରଣପୁରର ଦେବବନ୍ଦ ଠାରୁ ସାହାନବାଜ ନାମକ ଜଣକୁ ଗିରଫ କରିଛି | ତାର ଆଉ ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛି | ଏମାନେ ୨ଜଣ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସକ୍ରିୟ ସଦସ୍ୟ | ଏମାନେ  ବିଭିନ୍ନ ଅଞ୍ଚଳର ଯୁବକମାନଙ୍କୁ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନରେ ନିଯୁକ୍ତି ଦେବା କାମ କରନ୍ତି |

ଉତ୍ତର ପ୍ରଦେଶ ଡିଜିପି ଓପିଇ ସିଂ କହିଛନ୍ତି ଯେ, ସାହାନବାଜ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଏକ ସକ୍ରିୟ ସଦସ୍ୟ | ଏ ୨ଜଣଙ୍କ ପାଖରୁ ବହୁ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ | ଗତକାଲି ରାତିରେ ପୋଲିସ ଦେବବନ୍ଦ ଅଂଚଳରୁ ଏହି ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା | ଏ ୨ଜଣଙ୍କ ନାଁ ହେଲା ସାହାନବାଜ ଅହମଦ ଏବଂ ଆକିବ ଅହମଦ | ଏମାନେ ଦେବବନ୍ଦ ଠାରେ ଲୁଚି ରହୁଥିଲେ | ଏମାନଙ୍କ ପାଖରୁ ୩୨ ବୋରର ଦୁଇଟି ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ ହୋଇଛି | ଏହାସହ ଉଭୟଙ୍କ ପାଖରୁ ଜିହାଦି ଅଡିଓ ଟେପ, ଭିଡିଓ ଏବଂ ଲିଖିତ ସାମଗ୍ରୀ ମଧ୍ୟ ଜବତ ହୋଇଛି | ଏମାନଙ୍କୁ ଆଜି ଏଟିଏସ କୋର୍ଟରେ ପେଶ କରି ରିମାଣ୍ଡରେ ନେବା ପାଇଁ ନିବେଦନ କରିବେ | 

ଆକିବ ଅହମଦ ପୁଲୱାମାରେ ରୁହେ | ଏମାନଙ୍କ ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ପୋଲିସ | ସାହାନବାଜ ଲୋକଙ୍କ ବ୍ରେନ ୱାସ କରି ତାଙ୍କୁ ଆତଙ୍କବାଦୀ ସଂଗଠନରେ ଯୋଗ ଦେବା ପାଇଁ ମତାଇଥାଏ | ସେ ଗ୍ରେନେଡ଼ ବ୍ୟବହାର କରିବାରେ ଏକ୍ସପର୍ଟ ବୋଲି କହିଛନ୍ତି ଡିଜିପି |

ସାହାନବାଜ ବହୁ ପୂର୍ବରୁ ଜୈସ ସଂଗଠନ ପାଇଁ ଯୁବକଙ୍କୁ ନିଯୁକ୍ତ କରିବା କାମ କରିଆସୁଛି | ଦେବବନ୍ଦରେ ମଧ୍ୟ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରିବା ପାଇଁ ଅନେକ ଯୁବକଙ୍କୁ ସମ୍ପର୍କ କରିଥିଲେ | ଗିରଫ ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ବୟସ ୨୦ ରୁ ୨୫ ବର୍ଷ ହେବ ବୋଲି କହିଛନ୍ତି ଡିଜିପି | ତେବେ ପୁଲୱାମା ଆତଙ୍କୀ ହମଲାରେ ଏମାନେ ଥିଲେ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ଏ ସମ୍ପର୍କରେ ଏମାନଙ୍କୁ ପଚରାଉଚୁରା ଜାରି ରହିଛି | ଉଭୟଙ୍କ ମୋବାଇଲରୁ ଜୈସ ସଂଗଠନ ସହ ତମାମ ଆତଙ୍କବାଦୀଙ୍କ ଭିଡିଓ ଜବତ କରାଯାଇଛି | ଏଟିଏସ ଆଜି ସକାଳୁ ଆରମ୍ଭ କରିଥିବା ତଦନ୍ତରେ କାଶ୍ମୀରର ୧୧ ଜଣ ଛାତ୍ରଙ୍କ ସହ ଓଡିଶାର କିଛି ଛାତ୍ରଙ୍କୁ ହେପାଜତକୁ ନେଇଛି | ଏଟିଏସ ଗତକାଲି ରାତିରେ ଦେବବନ୍ଦର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲା | ଗତକାଲି ବିଳମ୍ବିତ ରାତିରେ ଏକ ପ୍ରାଇଭେଟ ହଷ୍ଟେଲରୁ ୭ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.