ବ୍ୟାଙ୍କରେ ଜାଲ୍‌ ଖାତା ଖୋଲି ବିଦେଶରୁ ଆଣୁଥିଲେ ପୁଳାପୁଳା ଟଙ୍କା, ସାଇବର ଠକେଇ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କଲା ଏଟିଏସ୍

Published By : Prameya-News7 Bureau | January 17, 2021 IST

ଲକ୍ଷ୍ନୌ ୧୭/୦୧ : ସାଇବାର ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ଉତ୍ତର ପ୍ରଦେଶ ଆଣ୍ଟି ଟେରରିଜିମ ସ୍କ୍ବାଡ୍ । ଏହି ଗ୍ୟାଙ୍ଗ୍‌ ବ୍ୟାଙ୍କମାନଙ୍କରେ ଜାଲ ଖାତା ଖୋଲି ବିଦେଶରୁ ଟଙ୍କା ମଗାଉଥିଲେ । ଘଟଣାରେ ସଂପୃକ୍ତ ୧୪ ଜଣଙ୍କୁ ଗିରଫ କରିଛି ଏଟିଏସ୍ । ସେମାନଙ୍କ ମଧ୍ୟରୁ ଉତ୍ତର ପ୍ରଦେଶରୁ ୯ ଜଣ ଏବଂ ଦିଲ୍ଲୀରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହା ସହିତ ଜାଲିଆତିରେ ବ୍ୟବହୃତ ୩୦୦ଟି ସିମ୍ କାର୍ଡ ବି ଜବତ କରିଛି ଏଟିଏସ୍ ।

ଉତ୍ତର ପ୍ରଦେଶ ଆଣ୍ଟି ଟେରରିଜିମ ସ୍କ୍ବାଡ୍ ସୂଚନା ଦେଇଛି ଯେ, କରୋନା ମହାମାରୀ ସମୟରେ ଏହି ଗ୍ୟାଙ୍ଗ୍ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି । ଏହି ଗ୍ୟାଙ୍ଗ୍ ବ୍ୟତିତ ୨ ଜଣ ବିଦେଶୀ ନାଗରିକଙ୍କ ବିରୁଦ୍ଧରେ ମଧ୍ୟ ଲୁକ୍‌ଆଉଟ୍‌ ନୋଟିସ୍ ଜାରି କରାଯାଇଛି । ଏମାନେ ସମସ୍ତେ ଅବୈଧ ଭାବେ ବିଦେଶରୁ ବିପୁଳ ପରିମାଣର ଟଙ୍କା ଆଣୁଥିଲେ ।

ଗିରଫ ଅଭିଯୁକ୍ତମାନେ ଅଲଗା ଅଲଗା ନାଁ, ଠିକଣା ଦେଇ ଅନଲାଇନ୍‌ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କରେ ଖାତା ଖୋଲୁଥି​‌ଲେ । କୌଣସି ଅଜ୍ଞାତ ସ୍ଥାନରୁ ଟଙ୍କା ଆସୁଥିଲା ଏବଂ ଏମାନେ ସମସ୍ତେ କାର୍ଡଲେସ୍ ପେମେଣ୍ଟ ମାଧ୍ୟମରେ ଏଟିଏମ୍‌ରୁ ଟଙ୍କା ଉଠାଇ ନେଉଥିଲେ । ଏଟିଏସ୍‌ କହିବା ମୁତାବକ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଏମାନେ ପୂର୍ବରୁ ଆକ୍ଟିଭ୍ ଥିବା ସିମ୍ କାର୍ଡକୁ ବ୍ୟବହାର କରୁଥିଲେ ।

ଯାଞ୍ଚ ବେଳେ ଜଣାପଡିଥିଲା ଯେ, ପ୍ରେମ ସିଂହ ନାମକ ବ୍ୟକ୍ତି ସିମ୍‌ କାର୍ଡଗୁଡିକୁ ଦିଲ୍ଲୀ ନେଇ ସେଠାରେ ବିକ୍ରି କରୁଥିଲା । ଗତ ୬ ମାସ ମଧ୍ୟରେ ଏଭଳି ୧୪ ଶହ ସିମ୍ ବିକ୍ରି କରାଯାଇଛି । ତେବେ ଏହି ଠକେଇ ମାମଲାରେ ୨ ଜଣ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି । ଖୁବ ଶୀଘ୍ର ଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଉତ୍ତର ପ୍ରଦେଶ ଏଟିଏସ୍ ଏଡିଜି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.