ପ୍ରେମିକର ଘର ଆଗରେ ନିଜ ମଲାଛୁଆକୁ ଧରି ବସି ରହିଲା କୁମାରୀ ମାଆ, କେହି ଶୁଣିଲେନି ଗୁହାରୀ

Published By : Prameya-News7 Bureau | November 02, 2018 IST

ଭଦ୍ରକ ୨|୧୧: ରାଜ୍ୟରେ କୁମାରୀ ମାତୃତ୍ବ ଏକ ସମସ୍ୟା ହୋଇ ଠିଆ ହୋଇଛି ।ଅଶିକ୍ଷା ଏବଂ ଦାରିଦ୍ର୍ୟ ଏହି ସମସ୍ୟାର ମୁଖ୍ୟ କାରଣ । ମି ଠୁ ଭଳି ଅଭିଯାନ କେବଳ ଆଭିଜାତ୍ୟ ସମ୍ପନ୍ନ ଗୋଷ୍ଠୀ ଭିତରେ ସୀମିତ ହୋଇ ରହିଯାଇଛି । ମହିଳାଙ୍କ ସୁରକ୍ଷା ପାଇଁ ଗଣ୍ଡା ଗଣ୍ଡା ଆଇନ ରହିଥିଲେ ମଧ୍ୟ ଆଜି ବି ପ୍ରେମିକର ମିଛ ଆଶ୍ବାସନା ଆଉ ଟିକିଏ ସ୍ନେହବୋଳା କଥାରେ ପଡି ଠକି ହେଉଛନ୍ତି ଯୁବତୀମାନେ । ଗ୍ରାମଂଚଳରେ ଏମିତି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଉଦବେଗର ବିଷୟ ହୋଇଛି । ଥରେ ପ୍ରେମିକର ଜାଲରେ ଫଶିଗଲା ପରେ ସହିବାକୁ ପଡୁଛି କୁମାରୀ ମାତୃତ୍ବର ଜ୍ବାଳା । ଆଉ ପୋଲିସ ସବୁ ଜାଣି ମଧ୍ୟ ଚୁପ ରହୁଛି । ଏଭଳି ଏକ ଅଭାବନୀୟ ଘଟଣା ଗତ ୩୧ ତାରିଖରେ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ରାଣୀତାଲ ନିକଟ, ତଗିରା ମହାନ୍ତି ସାହିରେ । ଗାଁର ରମାକାନ୍ତ ବହେରାଙ୍କ ଘର ସାମ୍ନାରେ ଜଣେ ଯୁବତୀ କୋଳରେ ନବଜାତ ଶିଶୁପୁତ୍ରକୁ ଧରି ବସିରହିଥିଲେ । ଆଉ ପ୍ରଳାପ କରୁଥିଲେ ଯେ, ପୋଲିସ ମତେ ଗିରଫ କରୁ । ମୋତେ ମୋର ପରିଚୟ ମିଳୁ ଆଉ ମୋ ମୃତ ଶିଶୁକୁ ମଧ୍ୟ ତା ବାପାର ପରିଚୟ ମିଳୁ । ଘଟଣା କଣ ବୁଝିଲା ବେଳେ ଜଣାପଡିଛି ଯେ, ଯୁବତୀ ଜଣଙ୍କ କୁମାରୀ ମାଆ । ତାଙ୍କର ୧୬ ଦିନର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ଆର୍ଥିକ ଦୁରାବସ୍ଥା ଓ ଲୋକଲଜ୍ଜା ଯୋଗୁଁ ଅସୁସ୍ଥ ଶିଶୁପୁତ୍ରର ସେ ଚିକିତ୍ସା କରାଇପାରିନଥିଲେ । ଛୁଆଟିର ଯିଏ ବିପା ସେ ମଧ୍ୟ କୌଣସି ସହାୟତା କରିନଥିଲେ । ସେଇ କ୍ଷୋଭ ଓ ଦୁଃଖରେ ଏବେ ନିଜ ହକ୍‌ ପାଇଁ ଦାଣ୍ଡକୁ ଗୋଡ କାଢିଥିଲେ । ମୃତ ଶିଶୁକୁ କୋଳରେ ଧରି ପ୍ରେମିକର ଘର ଆଗରେ ବସିଥିଲେ । ସୂଚନାଯୋଗ୍ୟ ଯେ, ରମାକାନ୍ତ ବେହେରାଙ୍କ ପ୍ରେମରେ ପଡି ସେ କୁମାରୀ ଅବସ୍ଥାରେ ମାଆ ହୋଇଛନ୍ତି ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ରମାକାନ୍ତ ବିବାହିତ ହୋଇଥିବା ସତ୍ତ୍ବେ ଏହି ଯୁବତୀଙ୍କୁ ବିବାହର ପ୍ରଲୋଭଲ ଦେଖାଇ ଶାରିରୀକ ସଂପର୍କ ରଖିଥିଲେ । ଯୁବତୀଙ୍କର ବୟସ୍କ ବାପାଙ୍କୁ ଛାଡି ଦେଲେ ଆଉ କେହି ନାହାଁନ୍ତି । ଦାରିଦ୍ର୍ୟ ସାଙ୍ଗକୁ ଅଶିକ୍ଷା ତାଙ୍କୁ ଅଧିକ ନରୀହ କରିଦେଇଥିଲା । ପ୍ରେମିକର ମିଠାକଥାରେ ଭଳିଯାଇଥିଲେ । ଫଳସ୍ବରୂପ ସେ ଗର୍ଭବତୀ ହୋଇଥିଲେ । ଯୁବତୀ ଗର୍ଭବତୀ ହେବାପରେ ପ୍ରେମିକର ଆଉ ଦେଖାମିଳିନଥିଲା । ଗୋଟିଏ ପଟେ ପ୍ରେମିକର ଧୋକା ଏବଂ ଅନ୍ୟପଟେ ପରିବାରର ତାଡନା ଓ ସମାଜର ଟାହି ଟାପରା ଅସହ୍ୟ ହୋଇଥିଲା । ଗର୍ଭବତୀ ହେବାପରେ ସେ ଥାନାରେ ବି ପହଂଚିଥିଲେ ନ୍ୟାୟ ପାଇଁ । ତେବେ ସେତେବେଳେ ପ୍ରେମିକ ପକ୍ଷରୁ ଗାଁର କିଛି ଲୋକ ତାଙ୍କୁ ବୁଝାସୁଝା କରି ଫେରାଇ ଆଣିଥିଲେ । ପ୍ରେମିକ ସମସ୍ତଙ୍କ ସମ୍ମୁଖରେ ସମ୍ପର୍କକୁ ସ୍ବୀକାର କରିବା ସହ ଯୁବତୀଙ୍କ ଗର୍ଭରେ ଥିବା ସନ୍ତାନର ବାପା ସେ ବୋଲି ମାନିଥିଲେ । ଏଥିପାଇଁ ଯୁବତୀଙ୍କୁ ଭରଣ ପୋଷଣ ଦେବା ପାଇଁ ମଧ୍ୟ ରାଜି ହୋଇଥିଲେ । ସେହି ଅନୁସାରେ ଅଳ୍ପ କିଛି ପଇସା ମଧ୍ୟ ଦେଇଥିଲେ । କିନ୍ତୁ ତା ପରେ ପୁଣି ସେଇ ଧୋକା । ପ୍ରମିକର ଆଉ ଦେଖାନଥିଲା । ପୁତ୍ର ସନ୍ତାନ ପ୍ରସବ କରିବାପରେ ଦାରିଦ୍ର୍ୟ ଯୋଗୁଁ ସେ ସନ୍ତାନଟିର ଠିକରେ ଚିକିତ୍ସା ବା ଯତ୍ନ କରିପାରିନଥିଲେ ଆଉ ଛୁଆଟିର ମୃତ୍ୟୁ ହୋଇଥିଲା । ଦୀର୍ଘ ୧୬ଘଣ୍ଟା ରମାକାନ୍ତଙ୍କ ଘର ଆଗରେ ମୃତ ଶିଶୁକୁ ଧରି ବସିବାପରେ ମଧ୍ୟ ରମାକାନ୍ତଙ୍କ ଦେଖାମିଳିନଥିଲା । ସାହିର କିଛି ଲୋକ ଆସି ବୁଝାସୁଝା କରିଥିଲେ ।  ବିଳମ୍ବିତ ରାତିରେ ଶିଶୁଟିର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସମସ୍ତ ଘଟଣାର ଖବର ପୋଲିସ ନିକଟରେ ଥିଲେ ମଧ୍ୟ ପୋଲିସ ଏଥିରେ ହସ୍ତକ୍ଷେପ କରିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.