ବିପଦରେ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ, ଭଙ୍ଗା କାନ୍ଥ ଉପରେ ସ୍କୁଲ ଛାତ ନିର୍ମାଣକୁ ବିରୋଧ

Published By : Prameya-News7 Bureau | September 11, 2019 IST

ଯାଜପୁର ୧୧।୯: କୋମଳମତି ଛାତ୍ର ଛାତ୍ରୀଙ୍କ ଜୀବନ ସହିତ ଖେଳ । ଯାଜପୁର ବିନ୍ଧାଣ ପ୍ରାଥମିକ ବିଦ୍ୟାଳୟ ମରାମତି ପାଇଁ ଆସିଥିବା ଅର୍ଥରେ ଦୁର୍ବଳ ଓ ଭଙ୍ଗା କାନ୍ଥ ଉପରେ  ଛାତ ପକା ଉଦ୍ୟମକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହା ସହ ବିଦ୍ୟାଳୟ ପରିସରରେ ଥିବା ମୂଲ୍ୟବାନ ଗଛକୁ କାଟି ବିକ୍ରି କରିଦିଆଯାଇଥିବା ଅଭିଯୋଗ ହୋଇଛି। ଆଉ  ଆଶ୍ଚର୍ଯ୍ୟର କଥା ହେଲା, ଏ ବାବଦରେ ପ୍ରଧାନ ଶିକ୍ଷୟତ୍ରୀ କିଛି  ଜାଣିନାହାନ୍ତି । ଏ ନେଇ  ନିର୍ବାଚିତ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧିଙ୍କ ଆଡକୁ  ଅଙ୍ଗୁଳି ନିର୍ଦେଶ ହେଉଛି।

{"id":156265}

ପିଲାଙ୍କ ଜୀବନଠୁ ଠିକାଦାରଙ୍କ ସ୍ବାର୍ଥ ବଡ । ମରାମତି ଆଳରେ ଛୋଟ ଛୋଟ ସ୍କୁଲ ପିଲାଙ୍କ ସୁରକ୍ଷାକୁ ବିପଦ ଆଶଙ୍କା ଭିତରକୁ  ଠେଲିଦିଆଯାଉଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲାର ପଣାସ ପଞ୍ଚାୟତ ଅନ୍ତର୍ଗତ ବିନ୍ଧାଣ ପ୍ରାଥମିକ ବିଦ୍ୟାଳୟରେ ଏ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।

{"id":156266}

 କାରଣ ଫନି କ୍ଷତିଗ୍ରସ୍ତ ସ୍କୁଲ ଘରର ମରାମତି  ପାଇଁ ଆସିଛି ୨ ଲକ୍ଷ ଟଙ୍କା । ସେହି ଟଙ୍କାରେ  ପ୍ରାୟ ୪୦ ବର୍ଷ ତଳେ  ନିର୍ମିତ ସ୍କୁଲର ଭଙ୍ଗା ,ଦଦରା ପୁରୁଣା କାନ୍ଥ ଉପରୁ ଆଜବେଷ୍ଟସ ହଟାଇ  ଛାତ ପକାଇବାକୁ ଠିକାଦାର ଉଦ୍ୟମ କରୁଛନ୍ତି । ଯାହାକୁ ଘୋର ବିରୋଧ କରିଛନ୍ତି ଗ୍ରାମବାସୀ । ଏହି ଛାତ ପଡିବା ପରେ କୌଣସି ମୁହୁର୍ତରେ କାନ୍ଥ ଭୁଶୁଡି ପଡିବା ଆଶଙ୍କା ରହିଛି। ଛାତ୍ର ଛାତ୍ରୀଙ୍କ ଜୀବନ ପ୍ରତି ଭୟ ରହିଛି । ସ୍ଥାନୀୟ ସରପଞ୍ଚ ଠିକାଦାରଙ୍କୁ ସମର୍ଥନ  କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।  ଏଥିସହିତ ବିଦ୍ୟାଳୟର ପାଚେରି ଭାଂଗିଛି ,। ସ୍କୁଲ ପରିସରରୁ ଦାମି ଗଛ ଗୁଡିକୁ କାଟି ବିକ୍ରି କରିଦିଆଯାଇଥିବା ଅଭିଯୋଗ ହୋଇଛି । ଏ ନେଇ  ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ ।

{"id":156267}

ସ୍କୁଲର ଘଟଣାକୁ ନେଇ ଗ୍ରାମରେ ହଇଚଇ , କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଏତେ ସବୁ କାମ ଓ କାରନାମା ସଂପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କୁ  ଜଣାନାହିଁ ବୋଲି ସେ ସଫେଇ ଦେଇଛନ୍ତି । ଠିକାଦାରଙ୍କ କାମ ନେଇ ସେ ଜାଣିନଥିବା ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି । ବିଭାଗୀୟ ଅଧିକାରୀ ଯାଜପୁର ବିଡିଓ ,ଜେଇ ,ଡ଼ିପିସି ସମସ୍ତେ ସ୍କୁଲକୁ ପରିଦର୍ଶନ ପାଇଁ  ଯାଇଥିଲେ । ଅଥଚ ଏଭଳି ଦୁର୍ବଳ କାନ୍ଥ ଉପରେ ଛାତ ପକେଇବାକୁ  କିପରି ଅନୁମତି ଦେଲେ ? ଯଦି ସ୍କୁଲ ମରାମତି ଓ ଗଛ କଟା ସଂପର୍କରେ ପ୍ରଧାନ ଶିକ୍ଷୟତ୍ରୀ ଜାଣିନାହାନ୍ତି, ତେବେ ଏଭଳି କାମ ପଛରେ କିଏ, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

{"id":156269}

ତେବେ ଅଭିଯୋଗ ପାଇବାପରେ ଯାଜପୁର ଜିଲ୍ଲାପାଳ  ରଞ୍ଜନ କୁମାର ଦାସ ସେଠାରେ ପହଞ୍ଚି  ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ  ଆଶା ସଞ୍ଚାର ହୋଇଥିଲେ ବି , ଭୁଲ ନିଷ୍ପତ୍ତି କିଏ ନେଇଥିଲେ , ତାହା ଉନ୍ମୋଚନ ହେବା ଦରକାର ବୋଲି ଗ୍ରାମବାସୀ ଦାବି କରିଛନ୍ତି । ତାସହ ଗଛ କାଟିବା ଘଟଣାରେ ମଧ୍ୟ କାର୍ଯାନୁଷ୍ଠାନ ପାଇଁ ଦାବି  ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.