ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବାପାକୁ ମିଛ ମାମଲାରେ ଫସେଇଥିବା ୩ ପୋଲିସକର୍ମୀଙ୍କ ବିରୋଧରେ ଦାଏର ହେଲା ମକଦ୍ଦମା

Published By : Prameya-News7 Bureau | December 02, 2018 IST

ଉନ୍ନାଓ ୨/୧୨ : ବହୁ ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ଚାପରେ ଆସି ଦୁଷ୍କର୍ମ ପୀଡିତାଙ୍କ ବାପାଙ୍କୁ ମିଛ କେଶରେ ଫଷେଇ ଜେଲ ପଠେଇଦେଇଥିଲେ ୩ଜଣ ପୋଲିସକର୍ମୀ | ଏହି ୩ଜଣ ପୋଲିସକର୍ମୀଙ୍କ ବିରୋଧରେ ମକଦମା ଚଳାଇବା ପାଇଁ ଅନୁମତି ଦେଇଛନ୍ତି ସରକାର | ୨୦୧୮ ମସିହା ଜୁଲାଇ ମାସରେ ସିବିଆଇ ଏହି ମାମଲାରେ ଉନ୍ନାଓର ତତ୍କାଳୀନ ଥାନା ଅଧିକାରୀ ଅଶୋକ ସିଂ ଭଡୋରିଆ, ଏସଆଇ କାମତ ପ୍ରସାଦ ସିଂ ଏବଂ ଏଫଆଇଆର ଲେଖିଥିବା ଦିବ୍ୟାନ ଆମିରଙ୍କ ବିରୋଧରେ କେଶ ଆରମ୍ଭ କରିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ମଞ୍ଜୁରୀ ମଗାଯାଇଥିଲା | ଉତ୍ତର ପ୍ରଦେଶ ସରକାର ଏହି ମାମଲାରେ ସରକାରୀ ଓକିଲଙ୍କ ସହ ଆଲୋଚନା କରି ଗୃହ ବିଭାଗ ଜରିଆରେ ଏହି ୩ଜଣଙ୍କ ବିରୋଧରେ ମୁକଦମା ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି | ଏହି ୩ ଜଣଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଦାଖଲ କରିସାରିଛି | ସିବିଆଇ ଥାନା ଅଧିକାରୀ ଅଶୋକ ସିଂହଙ୍କ ସମେତ ଏସଆଇକୁ ମେ ୧୬ ତାରିଖରେ ଗିରଫ କରିଥିଲା | ଏହାପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁଲଦୀପ ସିଂ ସେଙ୍ଗର ଏବଂ ତାଙ୍କ ଭାଇ ଅତୁଳ ସିଂ ସେଙ୍ଗର ସମେତ କେତେ ଲୋକଙ୍କୁ ମିଛ ମକଦମା ଦାଏର କରିଥିବା ଏବଂ ଦୁଷ୍କର୍ମ ପୀଡିତାଙ୍କ ବାପାଙ୍କୁ ମିଛ କେଶରେ ଫସେଇବା ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ ଯେ, ପୋଲିସ ହେପାଜତ ପୀଡିତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା | ନାବାଳିକା ସହ ଗଣଦୁଷ୍କର୍ମ ଏବଂ ପୀଡିତାଙ୍କ ବାପାଙ୍କ ହତ୍ୟା ଅଭିଯୋଗରେ ଉତ୍ତର ପ୍ରଦେଶ ସରକାର ସିବିଆଇ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଥିଲେ | ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିଲା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ଆଧାରରେ ଉତ୍ତର ପ୍ରଦେଶ ବିଧାୟକ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ଏବଂ ହତ୍ୟା ମାମଲାର ପୁରା ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.