ଡିସେମ୍ବର ୧୬, ସେହି କଳଙ୍କିତ ତିଥିରେ ଆସିବ କି ଦୁଇଦୁଇଟି ବଡ ଖବର ?
10/12/2019 at 7:42 PM

ନୂଆଦିଲ୍ଲୀ : ଏବେ ୧୬ ଡିସେମ୍ବରକୁ ନେଇ ଚର୍ଚ୍ଚା। କିଛି ନିର୍ଦ୍ଧିଷ୍ଠ କିମ୍ବା ନିର୍ଦ୍ଧାରିତ ନୁହେଁ କିନ୍ତୁ ମିଡିଆରେ ଆକଳନ ଅନୁମାନ ଏବେ ଜୋର । ଇତିହାସର ଏହି କଳଙ୍କିତ ଦିନଟିରେ ହେବ କି ୨ଟି ପ୍ରାୟଶ୍ଚିତ ? ସେହି ଦିନ ଦୁଇ ଦୁଇଟି କ୍ଷତ ଭରିବାକୁ ଆମ ବ୍ୟବସ୍ଥା ଲଗାଇବ କି ମଲମ ? ଏହି ଦିନ ଘଟିଥିଲା ଦିଲ୍ଲୀର ନିର୍ଭୟା ଗଣ ଦୁଷ୍କର୍ମ । ୨୦୧୨ ର ସେହି କଳଙ୍କିତ ରାତିକୁ ଭୁଲି ହେବନି। ତେବେ ସେହି ତିଥିରେ ଏବେ ୨ଟି ବଡ ଘଟଣା ଘଟିବ ବୋଲି ଅନୁମାନ କରାଯାଉଛି। ସେହିଦିନ ଆସିବ ଉନ୍ନାଓ ଦୁଷ୍କର୍ମ ମାମଲାର ରାୟ। ସେହି ଦିନ ବି ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଫାଶୀଦଣ୍ଡ କାର୍ଯ୍ୟକାରୀ ହୋଇପାରେ। ଏହା ନିର୍ଦ୍ଧାରିତ ନୁହେଁ ହେଲେ ଏକ ଆଶଙ୍କା।

ନିର୍ଭୟା ଗଣ ଦୁଷ୍କର୍ମ ତାରିଖରେ ଆସିବ ଉନ୍ନାଓ ଦୁଷ୍କର୍ମ ମାମଲାର ରାୟ
ହେବ କୂଲଦୀପ ସେଙ୍ଗାରଙ୍କ ଭାଗ୍ୟର ନିଷ୍ପତ୍ତି
ଉନ୍ନାଓ୨୦୧୭ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି ମଙ୍ଗଳବାର ଦିଲ୍ଲୀ ତିଶ ହଜାରୀ କୋର୍ଟରେ ଶେଷ ହୋଇଛି। ତେବେ କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଡିସେମ୍ବର ୧୬ ତାରିଖକୁ ଚୂଡାନ୍ତ ରାୟ ଘୋଷଣା ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ବିଜେପିର ବହିଷ୍କୃତ ବିଧାୟକ କୂଲଦୀପ ସିଂ ସେଙ୍ଗାରଙ୍କ ସମ୍ପୃକ୍ତି ରହିଛି। କୋର୍ଟ ସେଙ୍ଗାରଙ୍କ ସହଯୋଗୀ ଶଶୀ ସିଂହଙ୍କ ବିରୋଧରେ ମଧ୍ୟ ଅଭିଯୋଗ ନିର୍ଦ୍ଧାରିତ କରିଛନ୍ତି।
୨୦୧୭ ମସିହାର ଏହି ଘଟଣାରେ ଅଭିଯୁକ୍ତ ପୀଡିତାଙ୍କୁ ବାହନ ଦୁର୍ଘଟଣାରେ ହତ୍ୟା ଉଦ୍ୟମ କରିଥିଲେ। ଏଥିରେ ପୀଡିତା ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ତାଙ୍କର ୨ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିଲା। ମାମଲାରେ ପୀଡିତାଙ୍କ ପରିବାର ଷଡଯନ୍ତ୍ର ଅଭିଯୋଗ ଆଣିଥିବା ବେଳେ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ସିବିଆଇ ସୋମବାର ସୁଦ୍ଧା କୋର୍ଟରେ ନିଜର ପକ୍ଷ ରଖିସାରିଥିବା ବେଳେ ପୂର୍ବରୁ ଡିସେମ୍ବର ୨ ତାରିଖରେ ସାକ୍ଷମାନଙ୍କ ରୁଦ୍ଧଦ୍ୱାର ବୟାନ ରେକର୍ଡ ହୋଇଥିଲା।

ସେପଟେ ନିର୍ଭୟା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଦଣ୍ଡବିଧାନ ନେଇ ଏବେ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି। କେତେକ ଗଣମାଧ୍ୟମ ନିର୍ଭୟାକାଣ୍ଡ ଦିନ ହିଁ ୪ ଅଭିଯୁକ୍ତଙ୍କ ଦଣ୍ଡ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ଆକଳନ କରୁଛନ୍ତି। ଏଣୁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଙ୍ଗଳବାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମଣ୍ଡୋଲିରେ ପୃଥକ ରହୁଥିବା ଅଭିଯୁକ୍ତ ପବନକୁ ତିହାର ଜେଲକୁ ଅଣାଯାଇଛି। ତେବେ ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଅକ୍ଷୟ ସିଂ ଦଣ୍ଡର ପୁନର୍ବିଚାର ଲାଗି ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।