ଅନଲକ-୪: ଆରମ୍ଭ ହୋଇପାରେ ମେଟ୍ରୋ ଟ୍ରେନ ସେବା, ବନ୍ଦ ରହିବ ସ୍କୁଲ-କଲେଜ, ଶୀଘ୍ର ଜାରି ହୋଇପାରେ ଗାଇଡ୍‌ଲାଇନ୍‌

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪।୦୮: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ ଅନଲକ-୪ରେ ମଧ୍ୟ ସ୍କୁଲ-କଲେଜ ବନ୍ଦ ରହିପାରେ। ଅନଲକ-୪ର ଆରମ୍ଭ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇପାରେ। ବିଭିନ୍ନ ପରୀକ୍ଷାକୁ ମଞ୍ଜୁରୀ ମିଳିବା ପରେ ଅନୁମାନ କରାଯାଉଥିଲା ଯେ ଅନଲକ-୪ରେ ସ୍କୁଲ-କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଆଦି ଖୋଲା ଯାଇପାରେ। ମାତ୍ର ଅନଲକ୍‌ର ଏହି ପର୍ଯ୍ୟାୟରେ ମଧ୍ୟ ସରକାର ସ୍କୁଲ-କଲେଜ ଖୋଲିବାକୁ ମଞ୍ଜୁରୀ ଦେବେ ନାହିଁ। ଏହା ସହିତ କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରତିବନ୍ଧକ କଡାକଡି ଜାରି ରହିବ। ଏହି ପର୍ଯ୍ୟାୟରେ ମେଟ୍ରୋ ସେବା ପୁଣି ଥରେ ଆରମ୍ଭ କରାଯାଇପାରେ। ଅନଲକ-୪କୁ ନେଇ ଗୃହ ମନ୍ତ୍ରଣାଳୟ ଶୀଘ୍ର ବିସ୍ତୃତ ମାର୍ଗଦର୍ଶିକା ଜାରି କରି ପାରନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ରୁ ଆରମ୍ଭ ହୋଇଥିବା ଅନଲକ୍‌ର ତୃତୀୟ ପର୍ଯ୍ୟାୟରେ ଜିମ୍ ଓ ଯୋଗ ଖୋଲିବାକୁ ମଞ୍ଜୁରୀ ଦିଆଯାଇଥିଲା। ଏହା ବ୍ୟତୀତ କଣ୍ଟେନମେଣ୍ଟ ଜୋନ୍‌ରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରିବାକୁ ମଧ୍ୟ ଆଦେଶ ଦିଆଯାଇଥିଲା। ଅନଲକ୍‌-୩ରେ ରାତ୍ରକାଳୀନ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ଗତ ପର୍ଯ୍ୟାୟରେ ସରକାର ସିନେମା ହଲ୍ ଖୋଲିବାକୁ ମଞ୍ଜୁରୀ ଦେଇନଥିଲେ। ଏଥର ମଧ୍ୟ ସରକାର ସିନେମା ହଲ ବନ୍ଦ ରଖି ପାରନ୍ତି। ଆନ୍ତର୍ଜାତୀୟ ଉଡାଣ ଓ ନିୟମିତ ଟ୍ରେନ ସେବା ଆରମ୍ଭ କରାଯିବାର ସମ୍ଭାବନା ନଜର ଆସୁନାହିଁ।

ସୂଚନାଯୋଗ୍ୟ, ଦେଶରେ ମାର୍ଚ୍ଚ ମାସ ପରଠୁ ସିନେମା ହଲ୍, ସ୍ଵିମିଂ ପୁଲ, ମନୋରଞ୍ଜନ ପାର୍କ, ଥିଏଟର, ବାର ଆଦି ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି। ଏହା ବ୍ୟତୀତ ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଓ ବଡ ସମାରୋହ ଉପରେ ରୋକ୍ ଜାରି ରହିଛି। ସରକାର ଅନଲକ୍‌ର ଦ୍ଵିତୀୟ ପର୍ଯ୍ୟାୟରେ  ବିଭିନ୍ନ ସର୍ତ୍ତ ସହିତ ସପିଂ ମଲ ଓ ଧାର୍ମିକ ସଂସ୍ଥା ଖୋଲିବାକୁ ମଞ୍ଜୁରୀ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.