ଜାରି ହେଲା ଅନଲକ୍-୪ ଗାଇଡ୍‌ଲାଇନ୍: ଆସନ୍ତା ୭ରୁ ମେଟ୍ରୋ ସେବା, ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୦୮: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। କରୋନାର ପ୍ରକୋପକୁ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍‌ ପରେ ଏବେ ଅନଲକ  ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ କେନ୍ଦ୍ର ସରକାର ଆଜି ଅନଲକ୍‌-୪ର ମାର୍ଗଦର୍ଶିକା ଜାରି କରିଛନ୍ତି। ଅନଲକ-୪ରେ ସେପ୍ଟେମ୍ବର ୭ରେ ମେଟ୍ରୋ ସେବା ଚଳାଚଳ ଆରମ୍ଭ କରିବାକୁ ଅନୁମତି ମିଳିଛି। ସରକାର ଦ୍ଵାରା ଜାରି ଗାଇଡ୍‌ଲାଇନ୍‌ ଅନୁଯାୟୀ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ-କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ। ଅନଲକ୍‌ର ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଆଲୋଚନା ପରେ କେନ୍ଦ୍ର ସରକାର ଶିକ୍ଷାନୁଷ୍ଠାନ ସଂପର୍କରେ ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟର ଖୋଲା ଯାଇ ପାରିବ।

ଗାଇଡଲାଇନ୍‌ ଅନୁଯାୟୀ ସାମାଜିକ କାର୍ଯ୍ୟ, ଆନୁଷ୍ଠାନିକ, କ୍ରୀଡା ସମ୍ବନ୍ଧିତ, ମନୋରଞ୍ଜନ ସଂପର୍କିତ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାରୋହ ଆଦି ଗତିବିଧି ସର୍ବାଧିକ ୧୦୦ ବ୍ୟକ୍ତି କ୍ଷମତା ସହିତ ସେପ୍ଟେମ୍ବର ୨୧ରୁ ଅନୁମତି ଦିଆଯିବ।ଉଲ୍ଲେଖନୀୟ ଅନଲକ-୩ ଅଗଷ୍ଟ ୩୧ରେ ସମାପ୍ତ ହେବାକୁ ଯାଉଛି।

wp:html /wp:html

ସୀମିତ ସଂଖ୍ୟା ଲୋକଙ୍କୁ ନେଇ ଆୟୋଜିତ ସଭାରେ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ ବାଧ୍ୟତାମୂଳକ ରହିଛି। ଏହା ସହିତ ଥର୍ମାଲ ସ୍କ୍ରିନିଂ କରାଯିବ। ଆୟୋଜନ ସ୍ଥଳରେ ହ୍ୟାଣ୍ଡ ଓ୍ଵାଶ ଓ ସାନିଟାଇଜ୍‌ ଉପଲବ୍ଧ କରାଯିବ। ଏହି ପର୍ଯ୍ୟାୟରେ ମଧ୍ୟ ସିନେମା ହଲ, ସ୍ଵିମିଂ ପୁଲ ବନ୍ଦ ରହିବ।

ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ନିଜ ନିଜର ସ୍କୁଲରେ ଅନଲାଇନ୍‌ ଟିଚିଂ/ଟେଲି କାଉନସିଲ ଏବଂ ଏହି ସଂପର୍କିତ କାମ ପାଇଁ ୫୦ ପ୍ରତିଶତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଶିକ୍ଷାନୁଷ୍ଠାନ ଆସିବାକୁ ଅନୁମତି ଦେଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.