୩୦ ତାରିଖରେ ଶେଷ ହେବ ଅନଲକ୍- ୧: ବିଶେଷଜ୍ଞଙ୍କ ମତ- ଜୁଲାଇ ମାସରେ ବଢ଼ିପାରେ କରୋନା ଆକ୍ରାନ୍ତ ସଂଖ୍ୟା
28/06/2020 at 9:41 PM

ଭୁବନେଶ୍ବର୨୮/୬: ଜୁଲାଇ ମାସରେ କରୋନା କଟକଣା ଆହୁରି ବଢ଼ିବା ନେଇ ଅନୁମାନ କରାଯାଉଛି। ଯେଉଁଭଳି ଭାବେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି ଏସବୁକୁ ଦେଖି ବିଶେଷଜ୍ଞଙ୍କ ଯୁକ୍ତି ପୂର୍ବପରି କଟକଣା ବଳବତ୍ତର ରହୁ ନଚେତ ସ୍ଥିତି ନିୟନ୍ତ୍ରଣ କରିବା ମୁକ୍ସିଲ ହୋଇପଡିବ । ଏପଟେ ବିରୋଧୀ କହୁଛନ୍ତି ଜୀବିକା ଗୁରୁତ୍ବ ପୂର୍ଣ୍ଣ । ସଟଡାଉନ୍ କଲେ ଆଉ ହେବନି। ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରି ପଦକ୍ଷେପ ସରକାର ନିୟନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ।
୧୧ ଜିଲ୍ଲାକୁ ଶନି- ରବି ସଟଡାଉନ୍ ସରିଲା। ୩୦ ତାରିଖରେ ଶେଷ ହେବ ଅନଲକ୍- ୧। ଏଭଳି ସ୍ଥିତିରେ ଚାରିଆଡ଼େ ଏବେ ଆଲୋଚନା ଆଗକୁ କଟକଣାର ରୂପରେଖ କଣ ରହିବ । ବିଶେଷଜ୍ଞ କହୁଛନ୍ତି ଜୁଲାଇ ମାସରେ ସଂକ୍ରମଣ ଆହୁରି ବଢ଼ିବ। ଏପରିକି ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ଏହାର ଶୀର୍ଷକୁ ଏଯାଏଁ ପହଞ୍ଚିନି । ଦେଶରେ ଦିନକୁ ୨୦ ହଜାର ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ଦିନକୁ ପ୍ରାୟ ଅଢ଼େଇଶହ ଜଣ ଚିହ୍ନଟ ହେଉଛନ୍ତି ।
ବିଶେଷଜ୍ଞଙ୍କ କହିବା ଅନୁୟାୟୀ ଜୁଲାଇ ମାସରେ ନିୟନ୍ତ୍ରଣ ନକଲେ ବିପଦ ଘନେଇ ଆସିବ। ସେଥିପାଇଁ ରାଜ୍ୟ ସରକାର ପୁର୍ବଭଳି କଟକଣା ଜାରି ରଖିବା ଦରକାର। ଶନି ଓ ରବିବାର ସଟଡାଉନ୍ ଜାରି ରଖାଯାଉ । ଅଫିସ ଗୁଡ଼ିକରେ ସିପ୍ଟ ଡ୍ୟୁଟି କରାଯାଉ । ଯେପରି ଗୋଟିଏ ସମୟରେ ଅଧିକ ଲୋକ ଠୁଳ ନ ହେବେ। ପୂର୍ବ ପରି ଧର୍ମାନୁଷ୍ଠାନ ମଧ୍ୟ ଏବେ ଖୋଲା ନଯାଉ। ବସ୍ତି ଉପରେ ଅଧିକ ଗୁରୁତ୍ବ ଦିଆଯାଉ ବୋଲି ପରାମର୍ଶ ଦେଇଛନ୍ତି।
ଏପଟେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ବିରୋଧୀ ଦଳ ଡାକି ଆଲୋଚନା କରି ପଦକ୍ଷେପ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। କାରଣ ବର୍ତ୍ତମାନ ଜୀବନ ଜୀବିକା ଉଭୟ ଗୁରୁତ୍ବ ପୂର୍ଣ୍ଣ । ସଟ ଡାଉନ୍ କଲେ ଆଉ ଲୋକେ ସମ୍ଭାଳିବେନି। ତେଣୁ ବର୍ତ୍ତମାନ ଲୋକଙ୍କୁ ସଚେତନ କରିବା ସହିତ ଘର ଘର ବୁଲି କରୋନା ଟେଷ୍ଟ କରିବାକୁ ଦାବି କରିଛି କଂଗ୍ରେସ। ସେପଟେ ବିଜେଡି- ବିଜେପି ଉଭୟ ପରିସ୍ଥିତିକୁ ଦେଖି ସରକାରେ ପଦକ୍ଷେପ ନେବେ ବୋଲି କହିଛନ୍ତି। ବଢ଼ୁଥିବା ସଂକ୍ରମଣ ନେଇ ଏବେ ଚିନ୍ତାରେ ସମସ୍ତେ । ସରାକର କଣ ପଦକ୍ଷେପ ନେବେ ତା ଉପରେ ସମସ୍ତଙ୍କ ନଜର।