Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଜଣା ଭୂତାଣୁ ଜ୍ୱରରେ କମ୍ପୁଛି ୟୁପିରୁ ବିହାର, କେଉଁଠି ହସ୍ପିଟାଲରେ ବେଡ ନାହିଁତ ଆଉ କେଉଁଠି ଖୋଲା ଆକାଶ ତଳେ ଚାଲିଛି ଚିକିତ୍ସା

9/09/2021 at 3:37 PM

ପାଟନା ୯।୯:  ଅଜଣା ଭୂତାଣୁ ଜ୍ୱର କ୍ରମଶଃ ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶ ଓ ଏବେ ବିହାରର କେତେକ ଅଞ୍ଚଳରେ ବ୍ୟାପୁଥିବାର ଜଣାପଡିଛି। ଛୁଆରୁ ବୁଢ଼ା ପର୍ଯ୍ୟନ୍ତ ଜ୍ୱରରେ ଆକ୍ରାନ୍ତ ହେଉଥିବା ବେଳେ ଚିକିତ୍ସା ଲାଗି ହସ୍ପିଟାଲରେ ସ୍ଥାନାଭାବ ଦେଖାଦେଇଛି। ଏଣୁ କେତେକ ସ୍ଥାନରେ ଖୋଲା ଆକାଶ ତଳେ ଲୋକେ ଚିକିତ୍ସିତ ହେଉଥିବାର ଦେଖା ଯାଇଛି।

ରହସ୍ୟଜନକ ଜ୍ୱର ଯୋଗୁ ୟୁପିରେ ଏପର୍ଯ୍ୟନ୍ତ ୯୦ ଜଣଙ୍କ ମୃତ୍ୟୁ ହେଲାଣି। ରାଜ୍ୟର କାସଗଞ୍ଜ, ଏଟା, ମଥୁରା, ଫିରୋଜାବାଦ,ମିରଟ, ପ୍ରୟାଗରାଜ, ବାରଣାସୀ ଓ ଫାରୁଖାବାଦରେ ଅନେକ ଲୋକେ ଆକ୍ରାନ୍ତ ହୋଇଛନ୍ତି। ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ କେଉଁଠି ଏହାକୁ ଡେଙ୍ଗୁ କୁହାଯଉଛି ତ ଆଉ କେଉଁଠି ଭାଇରାଲ ଫିଭର କୁହାଯାଉଛି। ଲୋକେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁମୁଖରେ ପଡୁଛନ୍ତି।

ୟୁପିରେ ଏହି ଜ୍ୱର ଏବେ ବିକରାଳ ରୂପ ଧାରଣ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଗାଁକୁ ଡାକ୍ତରୀ ଦଳ ପଠାଇବା ଆରମ୍ଭ କରିଛନ୍ତି। ତୁରନ୍ତ ପରୀକ୍ଷଣ ସହ ଚିକିତ୍ସା ଲାଗି ପଦକ୍ଷେପ ନିଆଯାଇଥିଲେ ହେଁ ପରିସ୍ଥିତିରେ ପରିବର୍ତ୍ତନ ଦୂରର କଥା ଜ୍ୱର ବ୍ୟାପିବାରେ ଲାଗିଛି। ଜ୍ୱର ଏବେ ୟୁପିରୁ ବିହାରକୁ ବ୍ୟାପିସାରିଲାଣି। ତେବେ ବିହାରରେ ଜ୍ୱର ପିଲାଙ୍କୁ ଆକ୍ରାନ୍ତ କରୁଥିବା ଜଣାପଡିଛି। ଏଠାରେ ଲୋକେ ଏହାକୁ ଚିହିକା ଜ୍ୱର କହୁଛନ୍ତି। ପିଲାଙ୍କଠାରେ ଉଚ୍ଚ ତାପମାତ୍ରା ସାଙ୍ଗକୁ କାସ ଓ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧାର ଲକ୍ଷଣ ଦେଖାଯାଉଛି। ଦୈନିକ ୧୦ରୁ ୧୫ଟି ଏପରି ମାମଲା ଏବେ ହସ୍ପିଟାଲକୁ ଆସୁଥିବାର ଡାକ୍ତର କହିଛନ୍ତି।

ସାରଣ ଜିଲ୍ଲାରେ ଜ୍ୱର ଯୋଗୁ ଏପର୍ଯ୍ୟନ୍ତ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ନାଳନ୍ଦା ମେଡିକାଲ କଲେଜର ଶିଶୁ ରୋଗ ବିଭାଗରେ ଆଉ ବେଡ୍ ନଥିବା ଜଣାପଡିଛି। ପାଗ ପରିବର୍ତ୍ତନ ଯୋଗୁ ଶିଶୁମାନେ ଜ୍ୱରରେ ଆକ୍ରାନ୍ତ ହେଉଥିବା ଡାକ୍ତର କହିଛନ୍ତି।ୟୁପିର ପଡୋଶୀ ରାଜ୍ୟ ମଧ୍ୟପ୍ରଦେଶରେ ମଧ୍ୟ ଜ୍ୱର ବ୍ୟାପିଚାଲିଛି। ଗ୍ୱାଲିୟରରେ ଏହି ଜ୍ୱରରେ ଅନେକ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ଜୟାରୋଗ୍ୟ ହସ୍ପିଟାଲେ ଏପର୍ଯ୍ୟନ୍ତ ୩୦ ଶିଶୁ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଡାକ୍ତର ସୂଚନା ଦେଇଛନ୍ତି। କେବଳ ଗ୍ୱାଲିୟର ନୁହେଁ ମଲବା ଜିଲ୍ଲା ମଧ୍ୟରେ ଜ୍ୱର ପ୍ରକୋପ କରୁଛି।

   Related Posts