ବିଲ ମଝିରୁ ଅଜଣା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ
5/01/2021 at 5:30 PM

କୋଣାର୍କ ୫।୧: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଓଥକା ସୁହାଣପୁର ରାସ୍ତାର ସିଙ୍ଗାପଦାଠାରେ ଥିବା ଇଙ୍କର କିଆରୀ ମଧ୍ୟ ଭାଗରୁ କେତେକ ଶ୍ରମିକ ଇଙ୍କର କାଟୁଥିବା ବେଳେ ଜଣଙ୍କ ମୃତଦେହ ଦେଖିଥିଲେ । ଘଟଣା ସମ୍ପର୍କରେ ଶ୍ରମିକ ଓ ଗ୍ରାମବାସୀମାନେ କାକଟପୁର ଥାନାକୁ ଜଣାଇବା ସହ ଲିଖିତ ଭାବେ ଅଭିଯୋଗ କରିଥିଲେ ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ଶବଟି ଏକ ମହିଳାଙ୍କର ଓ ଏହା ଏକ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି । କାକଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ କେବଳ ଅସ୍ଥି କେତେ ଖଣ୍ଡ ପଡିରହିଥିବାରୁ ଶବକୁ ଚିହ୍ନଟ କରିବା ପୋଲିସ ପକ୍ଷେ କଷ୍ଟକର ହୋଇପଡିଛି | ତେଣୁ ଫୋରେନସିକ ଏକ୍ସପର୍ଟ ଏମ୍. ଶରନ୍ୟା ଘଟଣାସ୍ଥଳରେ ପହଞ୍ଚି ଶବ ଯାଞ୍ଚ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପରେ ଘଟଣାସ୍ଥଳରେ ନିମାପଡା ଏସଡିପିଓ ଏବଂ କାକଟପୁର ତହସିଲଦାର ତଦନ୍ତ କରିଛନ୍ତି ।
ତେବେ ସେହି ଗ୍ରାମର ସୁର କାଣ୍ଡିଙ୍କ ଝିଅ ଉଷା କାଣ୍ଡି ୨ ମାସ ହେବ ନିଖୋଜ ଥିଲେ । ଏ ସମ୍ପର୍କରେ କାକଟପୁର ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ଶବଟି ଝିଅର ବୋଲି ବାପା ସୁର କାଣ୍ଡି ସନ୍ଦେହ କରୁଛନ୍ତି । ଝିଅକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।