Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାହାଡରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର : ମିଳିନି ପରିଚୟ, ପାଖରେ ପଡିଛି ଚପଲ

10/09/2021 at 4:58 PM

ଦେବଗଡ ୧୦।୯: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମ ନିକଟସ୍ଥ ରାଉତମରା ପାହାଡରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଦେବଗଡରେ ନିର୍ମାଣାଧୀନ ବସଷ୍ଟାଣ୍ଡ ନିକଟସ୍ଥ ପାହାଡରୁ ପଚା ଗନ୍ଧ ଆସୁଥିବାକୁ ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଉତମରା ପାହାଡରେ ଖାନତଲାସ କରିବା ସମୟରେ ଜଙ୍ଗଲ ବୁଦା ମଧ୍ୟରେ ମହିଳାଙ୍କ ଗଳିତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ମହିଳା ଲେଗିନ୍ସ ଓ ଡ୍ରେସ ପିନ୍ଧିଥିବା ବେଳେ ପାଖରେ ତାଙ୍କର ଚପଲ ମଧ୍ୟ ପଡିରହିଛି । ମୃତ ଶରୀରରେ ପୋକ ଭର୍ତ୍ତି ହୋଇଯାଇଥିବା ବେଳେ ଏହା ୮-୧୦ ଦିନ ତଳର ଶବ ବୋଲି ଅନୁମାନ କରାଯାଉଛି ।

ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସାଇଣ୍ଟିଫିକ୍ ଟିମ୍‌କୁ ଡକାଯାଇଛି । ଦେବଗଡ ଏସପି ରାଜକିଶୋର ପାଇକରାୟ ଘଟଣାସ୍ଥଳରେ ପହଞ୍ଚି ପରିଦର୍ଶନ କରିଛନ୍ତି । ଅନ୍ୟ ପକ୍ଷରେ ଆଖପାଖ ଅଞ୍ଚଳର ନିଖୋଜ ହୋଇଯାଇଥିବା ମହିଳାଙ୍କ ବିଷୟରେ ପୋଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି ।

   Related Posts