ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗର ଆତଙ୍କ

Published By : Prameya-News7 Bureau | November 11, 2019 IST

ମାଲକାନଗିରି ୧୧।୧୧- ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗର ଆତଙ୍କ ।କାଲିମେଳା ତାମାନପାଲ୍ଲି ଗାଁରେ ୬ ଜଣ ଶିଶୁଙ୍କ ଜୀବନ ଚାଲିଯିବା ପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ଗାଁରେ ଡେରା ପକାଇଛନ୍ତି ଏକ ଡାକ୍ତରୀ ଦଳ । ଗୁରୁତର ଶିଶୁଙ୍କ ମାଲକାନଗିରି ଚିକିତ୍ସାଳୟରେ ଚିକିତ୍ସା ଚାଲିଛି । ପୁଣି ଥରେ ୩ ବର୍ଷ ତଳର ସେହି ଜାପାନି ଜ୍ବର ଗାଁକୁ ଫେରିଥିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଯାହାକୁ ଏହାକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ।

ଘର ଭିତରେ ଶଯ୍ୟାରେ ରୋଗୀ ଓ ଘର ବାହାର ବାରଣ୍ଡାରେ ବି ଶୋଇଛି ରୋଗୀ ।ଏ ହେଉଛି  ମାଲକାନଗିରି କାଲିମେଳା ତାମାନପାଲ୍ଲି ଗାଁରେ ଦୃଶ୍ୟ । କୌଣସି ଏକ ଅଜଣା ରୋଗରେ ଗାଁର ପ୍ରାୟ ସମସ୍ତ ଶିଶୁ ଆକ୍ରାନ୍ତ । ଗତ ୧୫ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କ ପ୍ରାଣ ଗଲାଣି । ବର୍ତ୍ତମାନ ସୁଦ୍ଧା ଅନେକ ଗୁରୁତର ରହିଛନ୍ତି । ଶିଶୁମାନେ ପ୍ରଥମେ ଜ୍ବରରେ ଆକ୍ରାନ୍ତ ହେବା ପରେ ମୁଣ୍ଡ ବଥା ଓ ବାନ୍ତି ହେଉଛି । ଏହାପରେ ଶିଶୁଙ୍କୁ ଜୀବନ ଚାଲି ଯାଉଛି । ୩ ବର୍ଷ ତଳର ସେହି ଜାପାନୀ ଜ୍ବର ପୁଣି ଜିଲ୍ଲାକୁ ଫେରିଥିବା ଲୋକେ ସନ୍ଦେହ କରୁଛନ୍ତି ।

ଜଣଙ୍କ ପରେ ଜଣେ ଶିଶୁଙ୍କ ଜୀବନ ଯାଉଥିବା ଦେଖି ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ଏକ ଡାକ୍ତରୀ ଦଳ ଗତ ୩ ଦିନ ଧରି ଗାଁରେ ଡେରା ପକାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାମାନପାଲ୍ଲି ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । କୋରାପୁଟ ମେଡିକାଲ କଲେଜର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗାଁରେ ପହଞ୍ଚି ଶିଶୁଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିଲେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି ଯେ ଜାପାନୀ ଏନସେଫାଲାଇଟିସ୍ କୁ ନେଇ ଲୋକେ ଭୟଭିତ ହେବା ଠିକ ନୁହେଁ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ରହିଛି ଓ ମୃତ ଶିଶୁମାନେ ସ୍ବାସ ରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି । ମୃତ ଶିଶୁଙ୍କ ବୟସ ୩ ରୁ ୫ ମାସ ମଧ୍ୟରେ ବୋଲି ଜଣା ପଡିଛି । ସେହିଭଳି ଗାଁରେ ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧକ୍ଷ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି । ତାଙ୍କ କହିବା ଅନୁସାରେ ସଚେତନତାର ଅଭାବରୁ ଗାଁରେ ଏପରି ଶିଶୁ ମୃତ୍ୟୁ ହୋଇଛି ।

ରୋଗ ବ୍ୟାଧି ହେଲେ ଲୋକେ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ଉପରେ ନିର୍ଭର କରୁଛନ୍ତି । ଯାହା ପରିସ୍ଥିତିକୁ ଅଧିକ ଜଟିଳ କରିବା ସହ ଶିଶୁମାନଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.