ବାଲେଶ୍ବର ନୀଳଗିରି ବ୍ଲକ ହାତିଆଶିଳା ଗାଁରେ ଅଜଣା ରୋଗର ଆତଙ୍କ
29/08/2018 at 2:22 AM

ବାଲେଶ୍ବର ୨୯/୮: ବାଲେଶ୍ବର ନୀଳଗିରି ବ୍ଲକ ହାତିଆଶିଳା ଗାଁରେ ଅଜଣା ରୋଗର ଆତଙ୍କ ଦେଖାଯାଇଛି । ରୋଗରେ ଗାଁର ଜଣଙ୍କର ମୃତ୍ୟୁ ପରେ ଆଉ ୫ ଜଣ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଆଦିବାସୀ ବହୁଳ ଗାଁରେ ପ୍ରାୟ ୨ ଶହରୁ ଅଧିକ ପରିବାର ବାସ କରନ୍ତି । ତେବେ ଆଜିକୁ ଦୁଇବର୍ଷ ହେଲା ଏହି ଗାଁର କିଛି ବ୍ୟକ୍ତି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ରୋଗରେ ହାତ ଗୋଡ ବଙ୍କା ହେଇଯାଉଥିବା ବେଳେ ମେରୁ ଦଣ୍ଡ ମଧ୍ୟ ବଙ୍କା ହେଇଯାଉଛି । ବିଛଣାରୁ ଉଠିବାକୁ ଶକ୍ତି ମଧ୍ୟ ମିଳୁନି । ତେବେ ଡାକ୍ତରଖାନାରେ ଚିକିତ୍ସା ପରେ ଦେହରେ ଜଳୀୟ ଅଂଶ ଓ ଭିଟାମିନ କମ ଥିବା ଡାକ୍ତର କହିଛନ୍ତି । ଏବେ ରୋଗରେ ଜଣଙ୍କର ମୃତ୍ୟୁ ପରେ ପୁରା ଗାଁରେ ଭୟର ବାତାବରଣ ଖେଳିଯାଇଛି । ତେବେ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ନଥିବା ଗାଁ ଲୋକ କହୁଛନ୍ତି । ଅସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ, କ୍ୟାଲସିୟମ ହୀନତା, ଓ ଫ୍ଲୋରାଇଡ ମିଶା ପାଣି ପାଇଁ ଏପରି ରୋଗ ହେଉଥିବା ଡାକ୍ତର ଅନୁମାନ କରିଛନ୍ତି । ତେବେ ଘଟଣାକୁ ନେଇ ନୀଳଗିରି ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ସେ ତୁରନ୍ତ ପ୍ରତିକାର ମୂଳକ ପଦକ୍ଷେପ ନେବେ ବୋଲି କହିଛନ୍ତି ।