ନାଇଜେରିଆ: ବିଦ୍ୟାଳୟ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ବନ୍ଧୁକ ମୁନରେ ୩୦ ଛାତ୍ରଛାତ୍ରୀ ଅପହୃତ

Published By : Prameya-News7 Bureau | March 12, 2021 IST

ଲାଗୋସ : ଉତ୍ତର-ପଶ୍ଚିମ ନାଇଜେରିଆର ଏକ ବିଦ୍ୟାଳୟ ଉପରେ ଅଜ୍ଞାତ ବନ୍ଧୁକଧାରୀ ଚଢଉ କରି ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ଏହି ଅପହରଣ ନେଇ ସ୍ଥାନୀୟ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି। ଅଜ୍ଞାତ ବନ୍ଧୁକଧାରୀ କଦୁନା ରାଜ୍ୟର ଅଫକା ସ୍ଥିତ ଫେଡେରାଲ କଲେଜ ଅଫ ଫରେଷ୍ଟ୍ରି ମେକାନାଇଜେସନ ଉପରେ ଗୁରୁବାର ବିଳମ୍ବିତ ରାତ୍ରିରେ ଚଢଉ କରି ଏହି କାଣ୍ଡ କରିଛନ୍ତି।

ଅନ୍ତର୍ଜାତୀୟ ସୁରକ୍ଷା ଏବଂ ଗୃହ ସମ୍ପର୍କିତ ବିଭାଗର ଆୟୁକ୍ତ ସାମୁଏଲ ଅରୁୱାନଏକ ବୟାନରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଅପହରଣ ହୋଇଥିବା ନେଇ ସୂଚନା ଦେଇଛନ୍ତି। କେବଳ ଛାତ୍ରଛାତ୍ରୀ ନୁହନ୍ତି ସ୍କୁଲର କେତେକ କର୍ମଚାରୀ ମଧ୍ୟ ଅପହୃତ ହୋଇଥିବା ସେ କହିଛନ୍ତି।  ସଶସ୍ତ୍ର ଡାକୁଙ୍କ ଏକ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ଆୟୁକ୍ତ ସନ୍ଦେହ ପ୍ରକଟ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ଏହିଭଳି ଏକ ଘଟଣା ଘଟିଥିଲା। ସେନା ତୁରନ୍ତ ପଦକ୍ଷେପ ନେବା ସହ ସଶସ୍ତ୍ର ଗୋଷ୍ଠୀଙ୍କ କବଳରୁ ୧୮୦ ଜଣ ଛାତ୍ରଛାତ୍ରୀଙ୍କୁ ମୁକ୍ତ କରାଇଥିଲା। ତେବେ ଛାତ୍ରଛାତ୍ରୀଙ୍କୁ ମୁକୁଳାଇବା ଲାଗି କାର୍ଯ୍ୟାନୁଷ୍ଠାନ କାଳରେ କିଛି ଛାତ୍ରଛାତ୍ରୀ ଆହତ ମଧ୍ୟ ହୋଇଥିଲେ। ପୁଣି ହୋଇଥିବା ଅପହରଣ ଘଟଣାରେ ସୁରକ୍ଷା ବଳ ଅପହରଣକାରୀଙ୍କ ସନ୍ଧାନ ନେଉଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.