ଜୁଲାଇ ସୁଦ୍ଧା ଦେଶରେ ୨୧ ଲକ୍ଷ ହୋଇପାରେ କରୋନା ସଂକ୍ରମଣ ସଂଖ୍ୟା : ୧୩ ଦିନରେ ହେଉଛି ଡବଲ

Published By : Prameya-News7 Bureau | May 25, 2020 IST

ନୂଆଦିଲ୍ଲୀ ୨୫/୦୫ : ଭାରତ ମଧ୍ୟ ଦୁନିଆର ଏକ କରୋନା ହଟସ୍ପଟ ହୋଇଗଲାଣି | ଦେଶରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୩୮ ହଜାର ୫୦୦ ରେ ପହଞ୍ଚିଲାଣି | ଦେଶରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୨୪ ଜଣ କରୋନାରେ ପ୍ରାଣ ହରାଇ ସାରିଛନ୍ତି | ଭାରତ ବର୍ତ୍ତମାନ କରୋନା ମାମଲାରେ ଇରାନକୁ ପଛରେ ପକାଇ ୧୦ ନମ୍ବର ସ୍ଥାନରେ ରହିଛି | ମିଶିଗନ ୟୁନିଭର୍ସିଟି ଏବଂ ଜନ ହପକିନ୍ସ ୟୁନିଭର୍ସିଟି କରୋନା ମଡେଲ ଜରିଆରେ ଚେତାବନୀ ଦେଇଛନ୍ତି ଯେ, ଜୁଲାଇ ପ୍ରଥମ ସପ୍ତାହ ଯାଏଁ ଭାରତରେ ସଂକ୍ରମଣ ସଂଖ୍ୟା ୨୧ ଲକ୍ଷ ଛୁଇଁପାରେ |   

ମିଶିଗନ ୟୁନିଭର୍ସିଟିର ମହାମାରୀ ରୋଗ ବିଶେଷଜ୍ଞ ପ୍ରଫେସର ଭ୍ରମର ମୁଖାର୍ଜୀ ନ୍ୟୁଜ ଏଜେନ୍ସି ରାଇଟର୍ସ ଭାରତ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମଡେଲ ଜରିଆରେ ସୂଚନା ଦେଇଛନ୍ତି ଯେ ଦେଶରେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ | ପ୍ରଫେସର ମୁଖାର୍ଜୀଙ୍କ କହିବାନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି | ସରକାରୀ ଗଣନା ଅନୁଯାୟୀ ଭାରତରେ କରୋନା ସଂକ୍ରମଣ ମାମଲା ୧୩ ଦିନରେ ଡବଲ ହେଉଛି | ଏହିଭଳି ପରିସ୍ଥିତିରେ ସରକାର ଲକ ଡାଉନ ପ୍ରତିବନ୍ଧକ କୋହଳ କରିଦେବା ମଧ୍ୟ ସମସ୍ୟା ସୃଷ୍ଟି କରିଛି |

ଏହା ପୂର୍ବରୁ ପ୍ରଫେସର ମୁଖାର୍ଜୀଙ୍କ ଟିମ ଏପ୍ରିଲ ମାସରେ କହିଥିଲେ ଯେ, ମେ ମାସ ମଧ୍ୟଭାଗ ଆଡକୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ହେବ | ବର୍ତ୍ତମାନ ମୁଖାର୍ଜୀଙ୍କ ଟିମଙ୍କ ଅନୁମାନ ଅନୁସାରେ ଜୁଲାଇ ଆରମ୍ଭ ଆଡକୁ ଭାରତରେ ୬ ଲକ୍ଷ ୩୦ ହଜାର ରୁ ୨୧ ଲକ୍ଷ ଲୋକ ଭାଇରସରେ ସଂକ୍ରମିତ ହୋଇପାରନ୍ତି |

ସମାଚାର ଏଜେନ୍ସି ରାଇଟର୍ସ ଅନୁଯାୟୀ, ଭାରତର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ଅନୁମାନ ମାମଲାରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି | ଦେଶରେ ମୋଟ ସଂକ୍ରମଣର ପଞ୍ଚମ ଭାଗ କେବଳ ମୁମ୍ବାଇ ସହରରେ ରହିଛି | କେବଳ ମୁମ୍ବାଇରେ ପାଖାପାଖି ୫୦ ହଜାର ଜଣ ସଂକ୍ରମଣ ଶିକାର ହୋଇଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.