ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ଦ୍ୱାରା ନାକରୁ ବାହାରିଲା ଆଲୁମିନିୟମ୍ ଖଣ୍ଡ

Published By : Prameya-News7 Bureau | November 29, 2018 IST

ଭୁବନେଶ୍ୱର ୨୯/୧୧ : ଏକ ବିରଳ ଚିକିତ୍ସା ପଦ୍ଧତି ସହ ଅସ୍ତ୍ରୋପଚାର ଜରିଆରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ମେ ଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ର କର୍ଣ୍ଣ, ନାଶା, ଗଳା ଏବଂ ଏଣ୍ଡୋସ୍କୋପିକ୍ ସ୍କଲ ବେସ୍ ସର୍ଜରୀ ବିଭାଗର ବିଶେଷଜ୍ଞ ଜଣେ ରୋଗୀର ନାକରୁ ଆଲୁମିନିୟମ୍ ଖଣ୍ଡ କାଢ଼ିବାରେ ସଫଳ ହୋଇଛନ୍ତି । ସଂପୃକ୍ତ ରୋଗୀଟି ଗୋଟିଏ ଆଲୁମିନିୟମ୍ ଶିଳ୍ପରେ କାର୍ଯ୍ୟ କରୁଥିବା ବେଳେ ଏକ ଦୁର୍ଘଟଣା ଯୋଗୁ ତାଙ୍କ ନାକରେ ବାଷ୍ପିୟ ଅବସ୍ଥାରେ ଆଲୁମିନିୟମ୍ ଚାଲିଯିବା ଫଳରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲା । ୨୨ ବର୍ଷୀୟ ପ୍ରକାଶ ମଲ୍ଲିକ ସୁରଟର ଏକ ଆଲୁମିନିୟମ୍ କାରଖାନାରେ କାର୍ଯ୍ୟ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ସେଠାରେ ବିସ୍ଫୋରଣ ଘଟିଥିଲା । ଯାହା ଫଳରେ ତରଳ ବାଷ୍ପିୟ ଅବସ୍ଥାରେ ତାଙ୍କ ନାକ ଭିତରକୁ ଚାଲିଯାଇଥିଲା । ଉଚ୍ଚତାପମାତ୍ରାର ଏହି ଆଲୁମିନିୟମ୍ ନାକକୁ ଯିବା ପରେ ନାକ ଭିତରେ କଠିଣ ହୋଇଯାଇ ନାସା ରନ୍ଧ୍ରକୁ ବନ୍ଦ କରି ଦେଇଥିଲା । ଫଳରେ ଏହି ଯୁବକ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ସେ ସୁରଟ ସମେତ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସା କରାଇଥିଲେ ମଧ୍ୟ ସୁଫଳ ପାଇ ପାରି ନଥିଲେ । ଶେଷରେ ସମ୍ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ସମ୍ ହସ୍ପିଟାଲ୍ରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଏଣ୍ଡୋସ୍କୋପିକ୍ ସ୍କଲ୍ ବେସ ସର୍ଜନ୍ ତଥା କର୍ଣ୍ଣ ନାଶା ଗଳା ଏବଂ ସ୍କଲ୍ ବେସ୍ ସର୍ଜରୀ ବିଭାଗର ସିନିୟର୍ କନ୍ସଲ୍ଟାଂଟ ଡାକ୍ତର ରାଧାମାଧବ ସାହୁ ତାଙ୍କର ଚିକିତ୍ସା କରିଥିଲେ । ସଫଳ ଅସ୍ତ୍ରୋପଚାର ଦ୍ୱାରା ପ୍ରକାଶଙ୍କ ବାମ ନାକରୁ ସଫଳତାର ସହ ୨୦ ଗ୍ରାମର ଆଲୁମିନିୟମ୍ ଖଣ୍ଡ ବାହାରିଥିଲା । ମସ୍ତିଷ୍କକୁ ସଂଯୋଗ କରୁଥିବା ହାଡ ସହିତ ଏହି ଆଲୁମିନିୟମ୍ ପଦାର୍ଥଗୁଡ଼ିକ ଲାଗି ରହିଥିଲା । ଯାହାକୁ କି କାଢ଼ିବା କଷ୍ଟକର ବ୍ୟାପାର ଥିଲା । ଆଡ୍ଭାନ୍ସଡ ଏଣ୍ଡୋସ୍କୋପିକ୍ ଟେକ୍ନିକ୍ ଦ୍ୱାରା ଖଣ୍ଡ ଗୁଡିକୁ ବାହାର କରାଯିବା ସହ ବନ୍ଦ ହୋଇଯାଇଥିବା ନାକର ଦ୍ୱାରକୁ ଖୋଲାଯାଇପାରିଥିଲା । ଅସ୍ତ୍ରୋପଚାର ପରେ ସେ ନିଃଶ୍ୱାସ ନେବାରେ ସକ୍ଷମ ହୋଇପାରିଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ମଧ୍ୟ ଘଟିଛି । ଏହା ଏକ ବିରଳ ଏବଂ କଷ୍ଟସାଧ୍ୟ ଅସ୍ତ୍ରୋପଚାର ଥିଲା ବୋଲି କହିଛନ୍ତି ଡାକ୍ତର ରାଧାମାଧବ ସାହୁ । ଏହି ଆଲୁମିନିୟମ୍ ପଦାର୍ଥ ଗୁଡ଼ିକ ୬୪୦ ସେଂଟିଗ୍ରେଡ୍ରେ ତରଳି ଯାଇ କଠିନ ପଦାର୍ଥରେ ପରିଣତ ହୋଇଥିଲା ଏବଂ ନାକ ଭିତରକୁ ଯାଇ ନାକର ଦ୍ୱାରକୁ ବନ୍ଦ କରିଦେଇଥିଲା । ଦୁଇ ଘଂଟାର ଅପରେସନ୍ ଏବଂ ଆଡ୍ଭାନ୍ସଡ ଏଣ୍ଡୋସ୍କୋପିକ୍ ଟେକ୍ନିକ୍ ଦ୍ୱାରା ରୋଗୀଟି ସୁସ୍ଥ ହୋଇପାରିଥିବା ଡ. ସାହୁ କହିଛନ୍ତି । ଓଡ଼ିଶାର ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲ୍ରେ ସ୍କଲ ବେସ୍ ସର୍ଜରୀ ବିଭାଗ ଜରିଆରେ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.