ଟେଷ୍ଟ କ୍ରିକେଟ୍‌ରେ ବିରଳ ସଂଯୋଗ: ୧୩୨ ବର୍ଷରେ ପ୍ରଥମ ଥର ଦୁଇଟି ଟେଷ୍ଟରେ ଦଳର ନେତୃତ୍ଵ ନେଲେ ୪ ଅଧିନାୟକ

Published By : Prameya-News7 Bureau | December 04, 2021 IST

ମୁମ୍ବାଇ ୦୪।୧୨: ୧୩୨ ବର୍ଷରେ ପ୍ରଥମ ଥର ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ଦଳର ନେତୃତ୍ଵ ନେଲେ ୪ ଅଧିନାୟକ। ପ୍ରଥମ ଥର ଏମିତି ଘଟଣା ୧୮୮୯ରେ ହୋଇଥିଲା। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ରେ ଚାରି ଅଧିନାୟକ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଦାୟିତ୍ଵ ତୁଲାଇଥିଲେ ଓଭେନ ଡୁନେଲ ଓ ଭିଲିୟମ ମିଲଟନ। ଅନ୍ୟପଟେ ଇଂଲଣ୍ଡର ଅଧିନାୟକ ଥିଲେ ଆବ୍ରେ ସ୍ମିଥ୍ ଓ ମୋଣ୍ଟି ବୋଡେନହୁଇ।  ଏହି ସମୟରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା।

ମୁମ୍ବାଇ ଟେଷ୍ଟରେ ଦୋହରିଲା ଇତିହାସ

ଏବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ରେ ୧୩୨ ବର୍ଷ ପରେ ଅପୂର୍ବ ସଂଯୋଗ ଘଟିଛି। ସିରିଜ୍‌ରେ ଚାରି ଜଣ ଅଧିନାୟକ ଦଳର ନେତୃତ୍ଵ ନେଇଥିବା ଦେଖିବାକୁ ମିଳିଛି। ପ୍ରଥମ ଟେଷ୍ଟରେ ଭାରତ ପାଇଁ ଆଜିଙ୍କ୍ୟ ରାହାଣେ ଏବଂ ନ୍ୟୁଜିଲାଣ୍ଡ ପାଇଁ କେନ ଓ୍ଵିଲିୟମସନ ଅଧିନାୟକ ଥିଲେ।

ଏବେ ଦ୍ଵିତୀୟ ଟେଷ୍ଟରେ ଦୁଇ ଖେଳାଳି ଆହତ କାରଣରୁ ଦଳରୁ ବାହାରେ ଅଛନ୍ତି। ଦ୍ଵିତୀୟ ମୁକାବିଲାରେ ଭାରତର ନେତୃତ୍ଵ ନେଇଛନ୍ତି ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ନ୍ୟୁଜିଲାଣ୍ଡର  ଅଧିନାୟକ ଅଛନ୍ତି ଟମ୍ ଲାଥମ। ସୂଚନାଯୋଗ୍ୟ, ଶେଷ ଥର ୨୦୦୩ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଡ୍ର ରହିଥିଲା।

ମୁମ୍ବାଇ ଟେଷ୍ଟରେ ଭାରତୀୟ ଦଳରେ ତିନୋଟି ବଡ ପରିବର୍ତ୍ତନ କରାଯାଇଛି। କାନପୁର ଟେଷ୍ଟର ଅନ୍ତିମ ଦିନ ଫିଲ୍ଡିଂ ସମୟରେ ଆଙ୍ଗୁଳିରେ ଆଘାତ ଲାଗିବାରୁ ଇଶାନ୍ତ ଶର୍ମା ଦ୍ଵିତୀୟ ଟେଷ୍ଟରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି। ଜାଡେଜା ଖେଳୁନଥିବାରୁ ଜୟନ୍ତ ଯାଦବଙ୍କୁ ଦଳରେ ସୁଯୋଗ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.