ଆଖି ନୁହେଁ, ମିଶିଲା ହୃଦୟ ; ସାତ ଜନ୍ମ ପାଇଁ ସାଥୀ ହେଲେ ଦିବ୍ୟାଙ୍ଗ ମୁନା ଓ ରୀନୁ
23/01/2021 at 9:09 AM

ଚୌଦ୍ୱାର ୨୩।୦୧: ଜୀବନର ରଙ୍ଗ କଣ ଜାଣି ନାହାନ୍ତି । ଏକ ଅସମାପ୍ତ ଅନ୍ଧକାର ଦେଇ ବିତୁଥିଲା ଜୀବନ । ଆଖିରେ ଆଖି ନ ମିଶିଲେବି ମିଶିଗଲା ହୃଦୟ । ଦୁଇ ମନ ଦୁଇ ପ୍ରାଣ ସାତ ଜନ୍ମ ପାଇଁ ଏକ ହୋଇଗଲା । ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ ମୁନା ଓ ରୀନୁ । ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଚୌଦ୍ବାର ସିମିଲିହାଣ୍ଡ ଗାଁରେ ।
ବାଜା ବଣ ସହ ଚାଲିଛି ରୋଷଣି । ଖୁସିରେ ମସଗୁଲ ବରଯାତ୍ରୀ । ବର ବେଶରେ ସଜେଇ ହୋଇ ବେସ ସୁନ୍ଦର ଲାଗୁଛନ୍ତି କୟଳପଡ଼ା ଗାଁର ମୁନା । ସେପଟେ କନିଆ ବଧୂ ବେଶରେ ସଜ ହୋଇ ମନ୍ଦିରରେ ଅପେକ୍ଷା କରିଥିଲା ତାର ଜନ୍ମ ଜନ୍ମାନ୍ତର ସାଥୀକୁ । ଏକ ସାଧାରଣ ବିବାହ ଭଳି ଲାଗୁଥିଲେ ମଧ୍ୟ ଏହା ଥିଲା ଏକ ନିଆରା ବାହାଘର। ଉଭୟ ଦୃଷ୍ଟିହୀନ । ଆଖିରେ ଆଖି ନମିଶିଲେ ବି ମିଶିଗଲା ହୃଦୟ । ଆଉ ପରିବାର ଲୋକଙ୍କ ସହଯୋଗ ଓ ଗ୍ରାମବାସୀଙ୍କ ଉଦ୍ୟମରେ ରାଧାମାଧବ ମନ୍ଦିରରେ ଆୟୋଜନ ହୋଇଥିଲା ବାହାଘର ।
ମୁନା ନାୟକ ଜନ୍ମର ୫ବର୍ଷ ପରେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ l ଭୁବନେଶ୍ବର ୧ନମ୍ବର ମାର୍କେଟରେ ଚାବି ରିଂ ଦୋକାନ କରିଛନ୍ତି । ରିନୁ ନାୟକ କୟଳପଡ଼ା ପଞ୍ଚାୟତ ସିମିଲିହାଣ୍ଡ ଗାଁର ଦିବାକର ନାୟକ ମାତା ସ୍ବର୍ଗତ ଟୁନି ନାୟକଙ୍କ ଏକ ମାତ୍ର କନ୍ୟା l ସେ ମଧ୍ୟ ଜନ୍ମରୁ ଦୃଷ୍ଟିହୀନ । ବାରଙ୍ଗ ସ୍ଥିତ ଦୃଷ୍ଟି ହୀନ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପଢିଛନ୍ତି l ସେ କାହା ଉପରେ ନିର୍ଭର ନକରି ନିଜେ ନିଜ କାମ କରିବା ସହ ଘର କାମ ମଧ୍ୟ କରିଥାନ୍ତି l ବାହାଘରରେ ସ୍ଥାନୀୟ ବିଧାୟକଙ୍କ ସମେତ ସମାଜସେବୀ ଏବଂ ଗ୍ରାମବାସୀ ସାମିଲ ହୋଇଥିଲେ ।
ତେବେ କଥାରେ ଅଛି ପ୍ରେମ ସତ୍ୟ ଓ ଶାଶ୍ବତ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମୁନା ଓ ରୀନୁ । ଆଗକୁ ନବ ଦମ୍ପତ୍ତିଙ୍କ ଜୀବନ ସୁଖମୟ ହେଉ ଏହା ହିଁ କାମନା ।