ବନାରସରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ : ହନୁମାନ ଚାଳିଶା ଯଜ୍ଞରେ ଆହୁତି ଦେଲେ ହିନ୍ଦୁ, ମୁସଲମାନ ଓ କିନ୍ନର

Published By : Prameya-News7 Bureau | August 25, 2020 IST

ବାରାଣାସୀ ୨୫/୦୮ : ଧର୍ମ ନଗରୀ ବାରାଣାସୀରେ ମଙ୍ଗଳବାର ଦିନ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି | ଏହାର ଚର୍ଚ୍ଚା ପୁରା ବନାରସରେ ହୋଇଛି | ବନାରସରେ ହୋଇଥିବା ୧୧ ଦିବସୀୟ ଧାର୍ମିକ ଅନୁଷ୍ଠାନର ଦୃଶ୍ୟ ସାମ୍ନାକୁ ଆସିଛି | ଯେଉଁଥିରେ ୧୧ ଦିନ ଧରି ଲଗାତାର ପ୍ରତ୍ୟେକ ଦିନ ୧୦୮ ହନୁମାନ ଚାଳିଶା ପାଠ ସହ ଯଜ୍ଞରେ ଆହୁତି ଦିଆଯାଇଥିଲା | ଇସଲାମିକ ଜିହାଦୀମାନଙ୍କ ଠାରୁ ମୁକ୍ତି, ଚୀନର ବିସ୍ତାରବାଦ ଉପରେ ପ୍ରତିବନ୍ଧକ ସହିତ ସର୍ବ ପୁରାତନ ସନାତନ ଧର୍ମର ଧର୍ମସ୍ଥଳ, ଶକ୍ତିପୀଠ, ପ୍ରାଚୀନ ବିଶ୍ୱବିଦ୍ୟାଳୟଗୁଡ଼ିକର ମୁକ୍ତିର ସଂକଳ୍ପ ନେଇ ଏହି ଅନୁଷ୍ଠାନ କରାଯାଇଥିଲା | 

ଏହି ଅନୁଷ୍ଠାନର ବିଶେଷତ୍ୱ ହେଲା ଏଥିରେ ଜାତି, ଧର୍ମ ଓ ଲିଙ୍ଗରେ ସମାନତା ଦେଖିବାକୁ ମିଳିଥିଲା | ଧର୍ମ ନଗରୀରେ ଏହା ପ୍ରଥମ ଅନୁଷ୍ଠାନ ଯେଉଁଥିରେ ହିନ୍ଦୁ-ମୁସଲମାନଙ୍କ ସହିତ କିନ୍ନର ମଧ୍ୟ ସାମିଲ ହୋଇଥିଲେ | ସମସ୍ତେ ଏକାସଙ୍ଗେ ମିଶି ଯଜ୍ଞରେ ଆହୁତି ଦେଇଥିଲେ | ଏହି ଅନୁଷ୍ଠାନକୁ ନେଇ ବନାରସରେ ଚର୍ଚ୍ଚା ହୋଇଛି |

ହିନ୍ଦୁ, ମୁସଲମାନ, କିନ୍ନର ସମସ୍ତେ ମିଶି ହନୁମାନ ଚାଳିଶା ପାଠ କରି ଯଜ୍ଞରେ ଆହୁତି ଦେଇଥିଲେ | ଭାରତୀୟ ଏକତାର ସନ୍ଦେଶ ଦେବା ପାଇଁ ଏହି ଅନୁଷ୍ଠାନ ଆୟୋଜନ କରାଯାଇଥିଲା | ଏଥିରେ ସବୁ ବର୍ଗର ଲୋକ ସାମିଲ ଥିଲେ | ବାରାଣାସୀର ପାତାଲପୁରୀ ମଠରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମହନ୍ତ ବାବା ବାଲାକ ଦାସ କହିଛନ୍ତି ଯେ ଆମେ ସନାତନ ଧର୍ମରେ ସମସ୍ତ ଲୋକଙ୍କୁ ଏକାଠି କରିଥାଉ, ଭେଦଭାବ କରିନଥାଉ |

ଯଜ୍ଞରେ ଅନେକ ସଂଖ୍ୟାରେ କିନ୍ନର ସାମିଲ ହୋଇଥିଲେ | ମୁସଲମାନ ସମ୍ପ୍ରଦାୟର ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ | ମୁସଲିମ ମହିଳା ଫାଉଣ୍ଡେସନର ସଭାପତି ନଜିନ ଅନସାରୀ ଏହି ହନୁମାନ ଚାଳିଶା ପାଠ ସହିତ ବିଶ୍ୱରେ ଶାନ୍ତି ବାର୍ତ୍ତା ଦେଇଛନ୍ତି | କିନ୍ନର ସମାଜ ସହିତ ଜଡିତ ଲୋକେ ଏହି ଆୟୋଜନକୁ ପ୍ରଶଂସା କରିଛନ୍ତି | ପୁରା ସମାଜ ସମ୍ମୁଖରେ କିନ୍ନରମାନଙ୍କୁ ସମ୍ମାନ ଦିଆଯାଇଥିବାରୁ କିନ୍ନର ସମାଜ ବହୁତ ଖୁସି ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.