କରୋନା ତୃତୀୟ ଲହର ! ସମସ୍ତ ହସ୍ପିଟାଲକୁ ନୀତିନ ଗଡକରୀଙ୍କ ଉପଦେଶ- ଅକ୍ସିଜେନ୍ ଯୋଗାଣ ନେଇ ହୁଅନ୍ତୁ ଆତ୍ମ ନିର୍ଭରଶୀଳ

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୦୪।୦୬: କରୋନା ମହାମାରୀର ପ୍ରକୋପ ଥମିବାର ନାଁ ଧରୁନାହିଁ। ପ୍ରଥମ ଲହର ପରେ କରୋନାର ଦ୍ଵିତୀୟ ଲହର ଦେଶର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ପକାଇଛି। ଦ୍ଵିତୀୟ ଲହରର ପ୍ରକୋପ ନଥମୁଣୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ଆଶଙ୍କା ପ୍ରକାଶ କଲେଣି। ଏହା ମଧ୍ୟରେ ଅନେକ ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଘଟିଛି। ଆଶ୍ଵସ୍ତିକର କଥା ଗତ କିଛି ଦିନ ହେବ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ମାତ୍ର ଏହା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କୋଭିଡ୍-୧୯ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଛୋଟ ଏବଂ ମଧ୍ୟମ ଧରଣର ହସ୍ପିଟାଲ ଅକ୍ସିଜେନ ଯୋଗାଣକୁ ନେଇ ଆତ୍ମ ନିର୍ଭରଶୀଳ ହେବାକୁ ଉପଦେଶ ଦେଇଛନ୍ତି। ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଅକ୍ସିଜେନ ଯୋଗାଣ ବ୍ୟତୀତ ଅନ୍ୟ ଜରୁରୀ ଚିକିତ୍ସା ସେବା ପାଇଁ ଆତ୍ମ ନିର୍ଭରଶୀଳ ହେବାକୁ ଗଡକରୀ ସମସ୍ତ  ହସ୍ପିଟାଲକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶୁକ୍ରବାର ଏକ ଓ୍ଵେବିନାରରେ ଚିକିତ୍ସିକଙ୍କୁ ସମ୍ବୋଧିତ କରି କହିଛନ୍ତି। ମହାରାଷ୍ଟ୍ର ବିଜେପି ମେଡିକାଲ ସେଲ୍‌ ତରଫରୁ କୋଭିଡ୍-୧୯କୁ ନେଇ  ଏହି ଓ୍ଵେବିନାରର ଆୟୋଜନ କରାଯାଇଥିଲା। ଓ୍ଵେବିନାରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଅକ୍ସିଜେନ୍ ଯୋଗାଣା ଏକ ଗୁରୁତର ପ୍ରସଙ୍ଗ ଏବଂ ଆମକୁ ଆତ୍ମନିର୍ଭର ହେବାର ଆବଶ୍ୟକତା ରହିଛି। ଏମିତିରେ ଯେଉଁ  ହସ୍ପିଟାଲ ପାଖରେ ୫୦ରୁ ଅଧିକ ଶଯ୍ୟା  ରହିଛି,  ସେମାନଙ୍କୁ ଅକ୍ସିଜେନ ଯୋଗାଣ ନେଇ ଆତ୍ମ ନିର୍ଭରଶୀଳ ହେବା ଉଚିତ୍।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅକ୍ସିଜେନ୍ ଟ୍ୟାଙ୍କର ସମସ୍ତ ଜିଲ୍ଲାରେ ଉପଲବ୍ଧ ହେବା ଉଚିତ୍। ତୃତୀୟ ଲହରକୁ ଦୃଷ୍ଟିରେ ଦୀର୍ଘଗାମୀ ଏବଂ ତତ୍କାଳ ଯୋଜନା ପ୍ରସ୍ତୁତି ଉପରେ ସେ ଜୋର ଦେଇଛନ୍ତି। ସ୍ଥିତିର ମୁକାବିଲା ପାଇଁ ସବୁ ଜିଲ୍ଲା ନିକଟରେ ୪୦୦୦-୫୦୦୦ ପର୍ଯ୍ୟନ୍ତ ଅତିରିକ୍ତ ଅକ୍ସିଜେନ୍ ସିଲିଣ୍ଡର ରହିବା ଉଚିତ୍।

ଗଡକରୀ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଜୋର ଦେଇଛନ୍ତି। ସମସ୍ତ ହସ୍ପିଟାଲକୁ ନିଜର ଶଯ୍ୟା ସଂଖ୍ୟା ବଢାଇବା ଉପରେ  ରଣନୀତି ପ୍ରସ୍ତୁତି କରିବା ଉଚିତ୍।  ଯେମିତି ତତ୍କାଳ ସ୍ଥିତିର ମୁକାବିଲା କରାଯାଇ ପାରିବ ସେଥିପ୍ରତି ନିଜକୁ ପ୍ରସ୍ତୁତ ରଖିବା ଉଚିତ୍ ବୋଲି ଗଡକରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.