ଚାଷୀଙ୍କ ସହ ଦଶମ ରାଉଣ୍ଡ ଆଲୋଚନା ଶେଷ, ଆଇନ ପ୍ରତ୍ୟାହାର ହେବନି କହିଲେ ସରକାର

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦।୧: ସଂଶୋଧିତ କୃଷି ଆଇନ ବିରୋଧରେ ଦିଲ୍ଲୀକୁ ୫୬ ଦିନ ହେଲା ଘେରି ରହିଥିବା ଚାଷୀଙ୍କ ସହ ବିଜ୍ଞାନ ଭବନରେ ବୁଧବାର ୧୦ମ ରାଉଣ୍ଡ ଆଲୋଚନା ଶେଷ ହୋଇଛି। ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳ, ବାଣିଜ୍ୟ ଏବଂ ଖାଦ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଆଲୋଚନାରେ ଯୋଗ ଦେଇଥିବା ବେଳେ ୪୦ କୃଷକ ସଂଘର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ।

ବୈଠକରେ କୃଷକ ପ୍ରତିନିଧିମାନେ ଆଇନ ପ୍ରତ୍ୟାହାର ନେଇ ଜିଦ୍‌ରେ ଅଡି ରହିଥିବା ବେଳେ ସରକାର ଆଇନ ପ୍ରତ୍ୟାହାର ହେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି। ଆଲୋଚନାରେ ସରକାର କୃଷକ ନେତାଙ୍କୁ ଏନଆଇଏ ମାଧ୍ୟମରେ ହଇରାଣ କରୁଥିବା ପ୍ରସଙ୍ଗ ଉଠିଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଅଭିଯୋଗର ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

{"id":395450,"width":579,"height":435,"sizeSlug":"large","linkDestination":"none"}

ତେବେ ପୂର୍ବ ପର୍ଯ୍ୟାୟ ଆଲୋଚନାରେ କୃଷକ ପ୍ରତିନିଧିଙ୍କୁ  ଦିଆଯାଇଥିବା ପରାମର୍ଶର ପୁନର୍ବିଚାର ଲାଗି କେନ୍ଦ୍ରମନ୍ତ୍ରୀମାନେ କୃଷକ ନେତାଙ୍କୁ ନିବେଦନ କରିଛନ୍ତି।  ନବମ ପର୍ଯ୍ୟାୟ ଆଲୋଚନାରେ କେନ୍ଦ୍ରମନ୍ତ୍ରୀମାନେ କୃଷକ ସଙ୍ଗଠନଙ୍କୁ ଅନୌପଚାରିକ ସମୂହ କରି ଦାବି ସମ୍ପର୍କରେ ସରକାରଙ୍କ ନିମନ୍ତେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ କହିଥିଲେ। ତେବେ କୃଷକ ସଙ୍ଗଠନମାନେ ଆଇନ ପ୍ରତ୍ୟାହାର ଦାବିରେ ଅଡି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ ପ୍ରତି ଧ୍ୟାନ ଦେଇ ନାହାନ୍ତି।

ଅପରପକ୍ଷେ ମାମଲାରେ ସୁପ୍ରିମକୋର୍ଟ ଏକ ୪ ସଦସୀୟ କମିଟି ଗଠନ କରିଥିଲେ। ତେବେ ଏଥିରୁ ଭୂପିନ୍ଦର ସିଂହ ମାନ ନିଜ ଆଡୁ ଓହରି ଯାଇଥିବା ବେଳେ ଏବେ ୩ ସଦସୀୟ କମିଟି ପ୍ରସଙ୍ଗରେ ଚାଷୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.