କାର ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାଇକ ଆହତ, ଚାଲିଗଲା ପତ୍ନୀଙ୍କ ଜୀବନ
11/01/2021 at 10:17 PM

ବେଙ୍ଗାଲୁରୁ ୧୧।୦୧: କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାଇକ ଏବଂ ତାଙ୍କ ପତ୍ନୀ ସୋମବାର ଦୁର୍ଘଟଣାର ଶିକାର ହୋଇଛନ୍ତି । ସଡକ ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାଇକ ଆହତ ହୋଇଥିବା ବେଳେ ଗୁରୁତର ଆହତ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଉଭୟଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସା ପରେ ଶ୍ରୀପଦ ନାଇକଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡିଛି। ମାତ୍ର ଗୁରୁତର ଆହତ ତାଙ୍କ ପତ୍ନୀ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। କୁହାଯାଉଛି ଶ୍ରୀପଦ ନାଇକଙ୍କ କାରରେ ଛଅ ଜଣ ବସିଥିଲେ।

ଏହି ଦୁର୍ଘଟଣା କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ହୋଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଇକ ଏବଂ ତାଙ୍କ ପତ୍ନୀ କାରରେ ଯାଉଥିଲେ । ତାଙ୍କ ଗାଡିକୁ କେଉଁ ଗାଡି ଧକ୍କା ଦେଇଛି ତାହାର ସ୍ପଷ୍ଟ ସୂଚନା ଏଯାଏ ମିଳିପାରିନାହିଁ । ଯେଉଁ ସମୟରେ ଦୁର୍ଘଟଣା ଘଟିଲା ସେହି ସମୟରେ ଶ୍ରୀପଦ ନାଇକ ନିଜର ପତ୍ନୀଙ୍କ ସହ କୌଣସି ଏକ କାର୍ଯ୍ୟରେ ଯାଉଥିଲେ। ଦୁର୍ଘଟଣା ପରେ ତାଙ୍କ ପତ୍ନୀ ଅଚେତ୍ ଥିଲେ। ଦୀର୍ଘ ସମୟ ଧରି ଚେତା ଫେରିନଥିଲା। ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି।
ଶ୍ରୀପଦଙ୍କୁ ବର୍ତ୍ତମାନ ଗୋଆ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ନାଇକଙ୍କ ଚିକିତ୍ସା ପାଇଁ ଉଚିତ୍ ବନ୍ଦୋବସ୍ତ କରିବାକୁ କହିଛନ୍ତି। ପୋଲିସ ଘଟଣାରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶ୍ରୀପଦ ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ସିଦ୍ଧ ଓ ହୋମିଓପାଥୀର ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି।