ମୋଦୀ ସରକାରଙ୍କ ଘୋଷଣା- ୮୦ କୋଟି ଲୋକଙ୍କୁ କିଲୋ ପିଛା ୨ ଟଙ୍କାରେ ଗହମ ଓ ୩ ଟଙ୍କାରେ ମିଳିବ ଚାଉଳ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫।୦୩ :  ଦେଶରେ  ବଢୁଥିବା କରୋନା ପ୍ରକୋପ ମଧ୍ୟରେ  ବୁଧବାର କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ରାସନ ନେଇ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଦେଶର ୮୦ କୋଟି ଲୋକଙ୍କୁ ଶସ୍ତା ଦରରେ ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍  ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ଦେଶର ୮୦ କୋଟି ଲୋକଙ୍କୁ ଶସ୍ତାରେ ରାସନ ଦିଆଯିବ। ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ବ୍ୟକ୍ତି ପିଛା ୭ କିଲୋ ରାସନ ଦିଆଯିବ ସେ ପୁଣି ଅଗ୍ରୀମ ତିନି ମାସ ପାଇଁ।

ପ୍ରକାଶ ଜାଭେଦକର ମିଡିଆକୁ ସମ୍ବୋଧିତ କରି କହିଛନ୍ତି ଯେ, ସରକାର ୮୦ କୋଟି ଲୋକଙ୍କୁ କିଲୋ ପ୍ରତି ୨୭ ଟଙ୍କାରେ ବିକ୍ରି ହେଉଥିବା ଗହମକୁ କିଲୋ ପିଛା ୨ ଟଙ୍କା ହିସାବରେ ଯୋଗାଇ ଦେବେ। ସେହି ପରି ୩୭ ଟଙ୍କାରେ ବିକ୍ରି ହେଉଥିବା ଚାଉଳକୁ କିଲୋ ପିଛା ୩ ଟଙ୍କା ହିସାବରେ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ସବୁ ଖାଦ୍ୟ ସାମଗ୍ରୀ ତିନି ମାସ ପାଇଁ ରାଜ୍ୟଗୁଡିକୁ ଅଗ୍ରୀମ ଭାବେ ଯୋଗାଇ ଦିଆଯିବ। ମନ୍ତ୍ରୀ କହିଛନ୍ତି ଯେ, କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାମାଜିକ ଦୂରତା ବଜାୟ ରଖନ୍ତୁ। କୌଣସି ପ୍ରକାରର ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଓ୍ଵେବସାଇଟ୍‌ରୁ ସୂଚନା ସଂଗ୍ରହ କରନ୍ତୁ।

ସରକାର ସ୍ପଷ୍ଟ କରିଛନ୍ତି ଯେ, ଲକଡାଉନ ସମୟରେ ସମଗ୍ର ଦେଶରେ କେଉଁଠି ବି ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ  ବନ୍ଦ ହେବ ନାହିଁ। ଲୋକେ ଆତଙ୍କିତ ହୋଇ ସାଗମ୍ରୀ କିଣି ଘରେ ଜମା କରନ୍ତୁ ନାହିଁ  ନଚେତ୍ ଏଥିରେ ଜମାଖୋରୀ ଓ କଳାବଜାରୀକୁ ପ୍ରୋତ୍ସାହନ ଦେବ। କେନ୍ଦ୍ର ଓ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ଏଠାରେ ମନ୍ତ୍ରିମଣ୍ଡଳର  ବୈଠକ ପରେ ସାମ୍ବାଦିକଙ୍କ ସହ ଆଲୋଚନା  ବେଳେ ଏହା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.